କରୋନା କାଳରେ ଦୁଇଗୁଣା ହୋଇଛି ଯୁବପିଢ଼ିଙ୍କ ମାନସିକ ସମସ୍ୟା
କରୋନା କାଳରେ ଅଧିକାଂଶ ଯୁବପିଢ଼ିଙ୍କ ମନ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଛି। ଜାମା ପେଡିଆଟ୍ରିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣା ରିପୋର୍ଟରେ ଯୁବପିଢ଼ିଙ୍କ ମାନସିକ ସମସ୍ୟା ଦୁଇଗୁଣା ବଢ଼ିଥିବା ଦାବି କରାଯାଇଛି। ଏହି ସମୟରେ ପ୍ରତି ୪ ଜଣରେ ଜଣେ ଯୁବାଙ୍କୁ ଅବସାଦର ସାମ୍ନା କରିବାକୁ ପଡ଼ିଛି। ସେହିପରି ପ୍ରତି ୫ ଜଣରେ ଜଣେ ଯୁବା ଚିନ୍ତା ଓ ଚିଡଚିଡ଼ାପଣର ଶିକାର ହୋଇଛନ୍ତି। ଦୀର୍ଘ ସମୟ ଯାଏ ଘରେ ରହିବା କଟକଣା, ସ୍କୁଲ ବନ୍ଦ, ନିଜ ଲୋକଙ୍କ ଠାରୁ ସାମାଜିକ ଦୂରତା ଓ ଖେଳ ତଥା ଅନ୍ୟାନ୍ୟ ଗତିବିଧି ଠାରୁ ଅଲଗା ରହିଥିବା ଯୁବପିଢ଼ିଙ୍କ ମାନସିକ ସମସ୍ୟା ବଢ଼ାଇବାର କାରଣ ପାଲଟିଛି। ମହମାରୀ କାରଣରୁ ପରିବାରର ଆର୍ଥିକ ସ୍ଥିରତା ଉପରେ ପଡ଼ିଥିବା ଦୁଷ୍ପ୍ରଭାବ ଓ ଅଭିଭାବକ ମାନଙ୍କ ଠାରେ ଦେଖାଯାଉଥିବା ଚାପର ବି ଯୁବପିଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।
ମହାମାରୀ ପୂର୍ବରୁ ପ୍ରତି ୧୦ ଜଣରେ କେବଳ ଜଣେ ଯୁବାଙ୍କ ଠାରେ ଅବସାଦ ଓ ଚିନ୍ତାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଯୁବପିଢ଼ିଙ୍କ ଠାରେ ମାନସିକ ସ୍ବାସ୍ଥ୍ୟ ସହିତ ଜଡ଼ିତ ସମସ୍ୟା ଦୁଇଗୁଣା ହୋଇଯାଇଛି। ସମୟ ବିତିବା ସହିତ ଏହି ମାନସିକ ସମସ୍ୟା ଆହୁରି ଗୁରୁତର ହେବାରେ ଲାଗିଛି। ମହାମାରୀ ଆରମ୍ଭ ହେବା ସମୟରେ ପିଲା ଓ କିଶୋରଙ୍କୁ କୋରୋନାର ସବୁଠାରୁ କମ ପ୍ରଭାବିତ ହେଉଥିବା ଲୋକଙ୍କ ବର୍ଗରେ ରଖାଯାଇଥିଲା। କିନ୍ତୁ ଏକ ବର୍ଷ ପରେ ଜଣାପଡ଼ିଛି ଯେ ପିଲାଙ୍କ ଠାରେ ବି ମାନସିକ ସମସ୍ୟା ସହିତ ଜଡ଼ିତ ମାମଲା ବଢ଼ିଯାଇଛି। ତେଣୁ ବିଶେଷଜ୍ଞମାନେ ପିଲା ଓ ଯୁବପିଢ଼ିଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।
