ସପରିବାରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ପୁରୀ : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଆଶୀର୍ବାଦ ନେଇଛନ୍ତି । ସପରିବାରେ ସେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡାଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ଗର୍ଭଗୃହକୁ ଯାଇ ଶ୍ରୀଜିଉଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ପରେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ ସହ ମୁକ୍ତି ମଣ୍ଡପରେ ପଣ୍ଡିତଙ୍କ ଆଶୀର୍ବାଦ ନେଇଥିଲେ । ପରେ ବିମଳା ଓ ମହାଲକ୍ଷ୍ମୀ ମନ୍ଦିର ଯାଇ ଆଶିଷ ଭିକ୍ଷା କରି କୀର୍ତନ ଚକଡ଼ାରେ ଛିଡ଼ା ହୋଇ ନୀଳଚକ୍ରରେ ପତିତପାବନ ବାନା ବନ୍ଧାର ଦୃଶ୍ୟ ଦେଖି ତଲ୍ଲୀନ ହୋଇଥିଲେ । କୌଳିକ ପଣ୍ଡା ଏକ ସ୍ୱତନ୍ତ୍ର ତାମ୍ର ଫଳକ ରାଷ୍ଟ୍ରପତିଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ରାଷ୍ଟ୍ରପତି ଶ୍ରୀମନ୍ଦିର ପରିସରରରୁ ବିଦାୟ ନେବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର ପଟ୍ଟଚିତ୍ର ଉପହାର ଦିଆଯାଇଥିଲା । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ।
ରବିବାର ଅର୍ଥାତ୍ ଫେବ୍ରୁଆରି ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିଶନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଉତ୍ସବରେ ଯୋଗଦେବେ । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଅପରାହ୍ନରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଥିଲେ । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ସେଠାରୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ସ୍ଥାନୀୟ ତାଳବଣିଆ ହେଲିପ୍ୟାଡ୍ ରେ ପହଂଚିବା ପରେ ଆରଡିସି ଓ ଜିଲ୍ଲାପାଳ ସ୍ୱାଗତ ଜଣାଇଥିଲେ । ପରେ କଡ଼ା ସୁରକ୍ଷା ଭିତରେ ଏକ ସ୍ୱତନ୍ତ୍ର କାରକେଡ୍ ରେ ରାଜଭବନରେ ପହଂଚିଥିଲେ । ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଅଛନ୍ତି । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ପୁରୀ ଗସ୍ତ କରିଥିଲେ ।
ପୁରୀ ତାଳବଣିଆ ଠାରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ରେ ଯାଇ ଅବତରଣ କରିବା ପରେ ତାଙ୍କୁ ପାଛୋଟି ନେଇଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍ । ହେଲିପ୍ୟାଡରୁ ସିଧାସଳଖ ଚକ୍ରତୀର୍ଥ ରୋଡ଼ ଦେଇ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି । ସେଠାରେ କିଛି ସମୟ ବିଶ୍ରାମ କରିବା ପରେ ରାଜଭବନରୁ ବାହାରି ସୁବାଷ ବୋଷ ଛକ, ଭିଆଇପି ରୋଡ଼ ଦେଇ ମେଡ଼ିକାଲ ଛକ, ବଳଗଣ୍ଡି ଛକ ମାର୍କେଟ ଛକ, ମର୍ଚ୍ଚିକୋଟ ଛକ ଦେଇ ସିଂହଦ୍ୱାର ନିକଟରେ ପହଂଚିଥିଲେ । ସିଂହଦ୍ୱାର ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ସିଂହଦ୍ୱାର ଠାରୁ ବାଇଶି ପାହଚ ଦେଇ ସାତପାହଚ ନିକଟରେ ପହଂଚି ଥିଲେ ରାଷ୍ଟ୍ରପତି । ସେଠାରୁ ନାଟ ମଣ୍ଡପ, ଗରୁଡ଼ ସ୍ତମ୍ବ, ଜୟ ବିଜୟ ଦ୍ୱାର, ଜଗମୋହନ, କଳାହାଟ ଦ୍ୱାର ଦେଇ ଗର୍ଭଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ଗର୍ଭଗୃହରେ ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ବେହେରଣ ଦ୍ୱାର ଠାରେ ଛତିଶା ନିଯୋଗ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଭିତର ବେଢ଼ାରେ ଥିବା ମା ବିମଳାଙ୍କ ମନ୍ଦିର ଓ ମା ମହାଲକ୍ଷ୍ମୀଙ୍କ ମନ୍ଦିର ଦର୍ଶନ କରିଥିଲେ । ପରେ କିର୍ତନ ଚକଡ଼ା ଦେଇ ବାଇଶି ପାହଚ ଅତିକ୍ରମ କରିବା ପରେ ସିଂହଦ୍ୱାରରେ ପ୍ରସ୍ଥାନ କରିଥିଲେ । ସୁରକ୍ଷା ଦୃଷ୍ଟିରୁ ୪୦ପ୍ଲାଟୁନ ଫୋର୍ସ ଓ ୨ଶହ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ହେଲିପ୍ୟାଡଠାରୁ ଆରମ୍ଭ କରି ବଡଦାଣ୍ଡ ଓ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡିଂ କରାଯାଇଛି । ବ୍ଲୁ-ବୁକ୍ ସୁରକ୍ଷା ବ୍ୟବସ୍ଥା ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ ପରେ ରାଜଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ରାଜଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଷ୍ଟ୍ରପତିଙ୍କ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଏବଂ ତାଙ୍କ ଝିଅ, ଜ୍ୱାଇଁ ଓ ରାଜ୍ୟପାଳ ଗଣେଶୀ ଲାଲ ରହିବେ । ସେପଟେ ରାଷ୍ଟ୍ରପତିଙ୍କ ସହ ଆସିଥିବା ୪୦ ଜଣ ଅତିଥି ଘରୋଇ ହୋଟେଲରେ ରହିବେ । ଅଫିସିଆଲ୍ କର୍ମକର୍ତା ସର୍କିଟ ହାଉସ୍ ଓ ପାନ୍ଥନିବାସରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲି ଶ୍ରୀକ୍ଷେତ୍ରର ପ୍ରମୁଖ ଗୌଡୀୟ ମଠ ପରିଦର୍ଶନ କରି ଆଳତୀ ନୀତି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପୂର୍ବାହ୍ନ ୧୧ଟାରେ ଶରଧାବାଲି ଠାରେ ଆୟୋଜିତ ବିଶ୍ୱ ବୈଷ୍ଣବ ସମ୍ମିଳନୀର ଉଦଘାଟନ କରିବା ସହ ନିଜର ଅଭିଭାଷଣ ରଖିବେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୈଷ୍ଣବ ଗୁରୁ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
