ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଏୟାରପୋର୍ଟରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ଵର ଏୟାରପୋର୍ଟରେ ଶନିବାର ୨ଟା ୨୦ମିନିଟ ସମୟରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏୟାରପୋର୍ଟରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଓଡ଼ିଶା ରାଜ୍ୟପାଳ ଗଣେଷୀ ଲାଲଙ୍କ ସମେତ ପୋଲିସ ଡ଼ିଜି ଓ ମୁଖ୍ୟଶାସନ ସଚିବ ବି ଉପସ୍ଥିତ ରହିଛନ୍ତି । ବିମାନ ବନ୍ଦରରେ ପହଞ୍ଚି ପୁରୀ ଅଭିମୁଖେ ରାଷ୍ଟ୍ରପତି ବାହାରିଛନ୍ତି ।
ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ବାହାରି ୩ଟା୨୫ ମିନିଟ ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବେ । ପରେ ୫ଟାରୁ ୫ଟା୪୫ରେ ଶ୍ରୀମନ୍ଦିର ରହି ମହାପ୍ରଭୁଙ୍କୁ ଦର୍ଶନ କରିବେ । ସେହିପରି ୨୦ ତାରିଖରେ ଶ୍ରୀଚୈତନ୍ୟ ମଠ ପରିଦର୍ଶନ କରିବେ । ସେହି ଦିନ ଅର୍ଥାତ୍ ୨୦ ତାରିଖ ଅପରାହ୍ନ ୪ଟା ୪୦ ମିନିଟ ଓଡ଼ିଶା ଛାଡିବେ ରାଷ୍ଟ୍ରପତି । ତେବେ ୨୦ତାରିଖ ଦିନ ୧୦ଟା ୪୦ ମିନିଟ ସମୟରେ ପୁରୀସ୍ଥିତ ଗୌଡିଆ ମିସନ ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମବାର୍ଷିକି ସମାରୋହରେ ଯୋଗଦେବେ । ଏନେଇ ଆସନ୍ତା ଶନିବାର ମଧ୍ୟାହ୍ନ ୧୨ଟା ୨୫ ମିନିଟ ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରିବେ ରାଷ୍ଟ୍ରପତି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଏହି ସମାରୋହରେ ରାଜ୍ୟପାଳ ସ୍ମରଣିକା ଉନ୍ମୋଚନ କରିବେ। ଏଥିସହିତ ଶ୍ରୀଲ ପ୍ରଭୁପାଦଙ୍କର ଏକ ଆତ୍ମଜୀବନୀକୁ ରାଜ୍ୟପାଳ ଉନ୍ମୋଚନ କରିବା ସହିତ ଏହାର ପ୍ରଥମ କପି ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ ରାଷ୍ଟ୍ରପତି ୧୯ ତାରିଖ ଅପରାହ୍ନରେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
