ବେଆଇନ ବାଣ ୟୁନିଟରେ ବିସ୍ଫୋରଣ: ଜଣେ ମୃତ, ଅନେକ ଗୁରୁତର
ନୂଆଦିଲ୍ଲୀ : ତାମିଲନାଡୁର ମଦୁରାଇରେ ଏକ ବେଆଇନ ବାଣ ୟୁନିଟରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହାସହିତ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି।
ସୂଚନା ଯେ, ପ୍ରବୀଣ ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଏକ ବେଆଇନ ୟୁନିଟରେ ଏହି ଦୁର୍ଘଟଣା ଘଟିଛି। ବିନା ଅନୁମତିରେ ଏହି ବାଣ ୟୁନିଟ୍ ଚାଲୁଥିବା ମଧ୍ୟ କୁହାଯାଉଛି। ଏକ କୋଠାର ଛାତ ଉପରେ ଏହି ବିସ୍ଫୋରଣ ଘଟିଥିଲା। ତେବେ ଏହି ବିସ୍ଫୋରଣ ଶବ୍ଦ ଶୁଣି ଆଖପାଖ ଅଞ୍ଚଳର ଲୋକ ଭୟଭୀତ ହୋଇ କ’ଣ ହେଲା କହି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଆହତଙ୍କୁ ଉଦ୍ଧାର କରି ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏହି ବିସ୍ଫୋରଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
