ବ୍ୟାଙ୍କରେ ଜମା ଲୋକଙ୍କ ଟଙ୍କା ସୁରକ୍ଷିତ ଅଛି କି ନାହିଁ ସରକାର ଜବାବ ଦିଅନ୍ତୁ : ମାୟାବତୀ
ନୂଆଦିଲ୍ଲୀ : ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଦୁଇ ଡଜନରୁ ଅଧିକ ବ୍ୟାଙ୍କରୁ ଋଣ ଠକେଇ କରିଛି । ଏହି ସଂଖ୍ୟା ଏତେ ବଡ଼ ଯେ ଦେଶରେ ପୂର୍ବରୁ ଘଟିଥିବା ସବୁ ବ୍ୟାଙ୍କିଙ୍ଗ ସ୍କାମର ରେକର୍ଡ ଭାଙ୍ଗିଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି। ଏଥି ସହିତ, ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଅନେକ ରାଜନୈତିକ ଦଳର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏହି କ୍ରମରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ କେନ୍ଦ୍ର ସରକାରଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି । ବ୍ୟାଙ୍କ୍ ଗୁଡ଼ିକରେ ଜମା ଜନସାଧାରଣଙ୍କ ଟଙ୍କା ସୁରକ୍ଷିତ ଅଛି କି ନୁହେଁ ସରକାର ଜବାବ୍ ଦେବା ଉଚିତ ବୋଲି ସେ କହିଛନ୍ତି ।
ମାୟାବତୀ ଏହି ପ୍ରସଙ୍ଗରେ ଟୁଇଟ୍ କରି କହିଛନ୍ତି ଯେ, ଦେଶରେ ଦୀର୍ଘ ସମୟ ଧରି ଭୟଙ୍କର ଦାରିଦ୍ର୍ୟ, ବେକାରୀ, ଦରବୃଦ୍ଧି ଭଳି ସମସ୍ୟାରେ ପୀଡିତ ଲୋକଙ୍କ ପାଇଁ ରୋଜଗାରର କୌଣସି ଖୁସି ଖବର ବଦଳରେ ୨୩ ହଜାର କୋଟି ଟଙ୍କାର ଏକ ବଡ଼ ବ୍ୟାଙ୍କ ଠକେଇ ଚିନ୍ତା ବଢ଼ାଇ ଦେଇଛି । ଦେଶ କେବେ ଏଭଳି ବ୍ୟାଙ୍କ ସ୍କାମରୁ ମୁକ୍ତ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ସଦ୍ୟତମ ବ୍ୟାଙ୍କ ଠକେଇ ମାମଲାରେ କୌଣସି ଅଭିଯୁକ୍ତ ଗିରଫ ନହେବା କାରଣରୁ ଲୋକଙ୍କ ମନରେ ଅନେକ ପ୍ରକାରର ସନ୍ଦେହ ସୃଷ୍ଟି ହେଉଛି, ଯାହା ସ୍ବାଭାବିକ । ବ୍ୟାଙ୍କରେ ଜମା ହୋଇଥିବା ଲୋକଙ୍କ ଟଙ୍କା ପ୍ରକୃତରେ ସୁରକ୍ଷିତ ନା ନାହିଁ କେନ୍ଦ୍ର ସରକାର ଜନସାଧାରଣଙ୍କ ଏହି ଭୟକୁ ଦୂର କରିବା ଉଚିତ ବୋଲି ମାୟାବତୀ କହିଛନ୍ତି।
ସିବିଆଇ ସୂଚନା ଅନୁଯାୟୀ, ଏବିଜି ସିପୟାର୍ଡ ଲିମିଟେଡ଼ ସହ ଜଡ଼ିତ ଠକେଇ କୌଣସି ଗୋଟିଏ ବ୍ୟାଙ୍କ ସହ ହୋଇନାହିଁ ବରଂ ଅନେକ ବ୍ୟାଙ୍କ ସହିତ ହୋଇଛି। ସମୁଦାୟ ୨୮ ଟି ବ୍ୟାଙ୍କକୁ ଠକି ଦିଆଯାଇଛି, ଯେଉଁଥିରେ ଏସବିଆଇ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇଡିବିଆଇ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ଏବଂ ଏଲଆଇସି ମଧ୍ୟ ଠକେଇର ଶିକାର ହୋଇଛି। ଏହି ଘୋଟାଲାର ପ୍ରଥମ ଖୁଲାସା ଅଗଷ୍ଟ ୨୦୨୦ ରେ ହୋଇଥିଲା ଯେତେବେଳେ ଏସବିଆଇର ଜଣେ ଡେପୁଟି ଜିଏମ୍ ସିବିଆଇକୁ ଏହି ମାମଲାରେ ଲିଖିତ ଅଭିଯୋଗ ଦେଇଥିଲେ।
