ମୋହନା ବିଧାୟକଙ୍କ ଅଜବ ନିର୍ବାଚନ ପ୍ରଚାର! ‘ବିଜେଡିର ଟଙ୍କା ଖାଅ, କଂଗ୍ରେସକୁ ଭୋଟ ଦିଅ’ ସ୍ଲୋଗାନ
ପାରଳାଖେମୁଣ୍ଡି: ମୋହନାର କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗଙ୍କ ଅଜବ ପ୍ରଚାର । ‘ବିଜେଡିର ଟଙ୍କା ଖାଅ, କଂଗ୍ରେସକୁ ଭୋଟ ଦିଅ’ ଭଳି ସ୍ଲୋଗାନ ଦେଇ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରୁଛନ୍ତି । ଏଭଳି ସ୍ଲୋଗାନ ଦେଇ ନିଜକୁ ତଥା କଂଗ୍ରେସ ଦଳକୁ ଆହୁରି ଶସ୍ତା କରିଛନ୍ତି ଦାଶରଥି ଗମାଙ୍ଗ । ଏଭଳି ନେତାଙ୍କ ଯୋଗୁଁ ହିଁ ଆଜି କଂଗ୍ରେସ ଦଳ ଧ୍ୱଂସ ହେବାରେ ଲାଗିଛି ।
‘ବିଜେଡିର ଟଙ୍କା ଖାଅ, କଂଗ୍ରେସକୁ ଭୋଟ ଦିଅ’ ସ୍ଲୋଗାନ ଦ୍ୱାରା କେହି ଭୋଟର୍ ପ୍ରଭାବିତ ହେବେ ନାହିଁ କି କଂଗ୍ରେସକୁ ଭୋଟ ଦେବେ ନାହିଁ । ତେବେ ଏହି ସ୍ଲୋଗାନର ତାତ୍ପର୍ଯ୍ୟ କଣ ତାହା କଂଗ୍ରେସ ବରିଷ୍ଠ ନେତା ଦାଶରଥି ଗମାଙ୍ଗ ହିଁ ଜାଣିଥିବେ । ଏଭଳି ଅଜବ-ଗଜବ ମନ୍ତବ୍ୟ ଯୋଗୁଁ ଦେଇ ରାହୁଲ ଗାନ୍ଧି ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି । ସମସ୍ତଙ୍କ ପାଇଁ ମନୋରଞ୍ଜନର ବିଷୟବସ୍ତୁ ପାଲଟିଛନ୍ତି । ‘ପପୁ’ ଆଖ୍ୟା ବି ପାଇଛନ୍ତି । ଆଉ ଗଜପତି ଜିଲ୍ଲାରେ ଦଳର ଜଣେ ବରିଷ୍ଠ ନେତା ଦାଶରଥି ଗମାଙ୍ଗ ବିକାଶର ବାର୍ତ୍ତା ସହ ନିର୍ବାଚନ ପ୍ରଚାର କରିବା ବଦଳରେ ଏଭଳି ଶସ୍ତା ସ୍ଲୋଗାନ ଦେଇ ରାହୁଲ ଗାନ୍ଧିଙ୍କ ପଦାଙ୍କ ଅନୁସରଣ କରିବା ଭଳି ଲାଗୁଛି । ଅନ୍ୟପଟେ ଦାଶରଥି ଗମାଙ୍ଗଙ୍କ ଏଭଳି ନିର୍ବାଚନ ପ୍ରଚାର ମାନସିକତାକୁ ଗଜପତି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ଜନତା ନାପସନ୍ଦ କରିଛନ୍ତି ।
