ଆଜି ଛତିଶା ନିଯୋଗ ବୈଠକ, ଜଗା ଦର୍ଶନ କଟକଣା କୋହଳ ନେଇ ଆଲୋଚନା
ପୁରୀ : ଶ୍ରୀମନ୍ଦିରରେ ଆହୁରି ସହଜ ହୋଇପାରେ ଜଗା ଦର୍ଶନ । ରାଜ୍ୟରୋ କରୋନା ମିଟର ତଳକୁ ଖସୁଥିବାରୁ କୋହଳ ହୋଇପାରେ କଟକଣା । ଏନେଇ ଆଜି ହୋଇପାରେ ନିଷ୍ପତ୍ତି । ସୋମବାର ଅପରାହ୍ଣ ୩ଟାରେ ବସିବ ଛତିଶା ନିଯୋଗ ବୈଠକ ।
ବୈଠକରେ କଟକଣା କୋହଳ ହେବା ନେଇ ଆଲୋଚନା ହୋଇପାରେ । ଆସନ୍ତା ୧୬ ତାରିଖରୁ ଜଗା ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ନିଷ୍ପତି ନିଆଯାଇପାରେ ବୋଲି ସୂଚନାରୁ ଜଣାପଡିଛି । ଏହାସହିତ କିଓସ୍କ ବ୍ୟବସ୍ଥା ହଟିବ ବୋଲି ଆଶା କରାଯାଉଛି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା ହେବ । କରୋନା ସଂକ୍ରମଣ ପାଇଁ ଜଗା ଦର୍ଶନ ଉପରେ କଟକଣା ଲଗାଯାଇଥିଲା ଯାହା ଶ୍ରଦ୍ଧାଳୁଙ୍କ ମନକୁ କଷ୍ଟ ଦେଉଥିଲା । ବଡଦାଣ୍ଡରେ ଥାଇ ଜଗା ମୁଣ୍ଡିଆ ମାରି ଭକ୍ତଙ୍କୁ ଫେରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ରାଜ୍ୟରେ ଯେହେତୁ କରୋନା ସଂକ୍ରମଣ କମୁଛି, ସେନେଇ କଟକଣା କୋହଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।
