କୋଭିଡ ପ୍ରଭାବ ଦଶନ୍ଧି ଧରି ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ମଧ୍ୟରେ ଅନୁଭୂତ ହେବ : ‘ହୁ’
ନୂଆଦିଲ୍ଲୀ: କେବେ ଶେଷ ହେବ କରୋନା ସହ ଆରମ୍ଭ ହୋଇଥିବା ଲଢ଼େଇ କେବେ କରୋନା ମୁକ୍ତ ହେବ ବିଶ୍ୱ ଏହାକୁ ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଥିବା ବେଳେ ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ବର୍ଷେ କି ଦୁଇ ବର୍ଷ ନୁହେଁ ଦଶନ୍ଧି ଧରି କୋଭିଡର ପ୍ରଭାବ ଅନୁଭୂତ ହେବ ବୋଲି କହିଛନ୍ତି ଟେଡ୍ରୋସ୍ ଆନ୍ଧାନୋମ ଘେବ୍ରେୟେସସ୍ ।
ତାଙ୍କ କହିବା ମୁତାବକ, କୋଭିଡ ମହାମାରୀର ପ୍ରଭାବ ଦଶନ୍ଧି ଧରି ବିଶେଷ ଭାବରେ ସବୁଠାରୁ ଅସୁରକ୍ଷିତ ଗୋଷ୍ଠୀ ମଧ୍ୟରେ ଅନୁଭୂତ ହେବ । ମହାମାରୀ ଯେତେ ଅଧିକ ସମୟ ରହିବ, ସେତେ ଅଧିକ ପ୍ରଭାବ ପକାଇବ । ଆଫ୍ରିକୀୟ ଦେଶଗୁଡ଼ିକରେ ହାରାହାରି ମାତ୍ର ୨୩ ପ୍ରତିଶତ ଟିକାକରଣ ହୋଇଛି । ଏହି ବ୍ୟବଧାନକୁ କମ କରିବା ‘ହୁ’ ପାଇଁ ଏକ ଜରୁରୀ ପ୍ରାଥମିକତା ଅଟୋ । କେବଳ ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ଏବଂ ଜୀବନ ରକ୍ଷା କରିବା ପାଇଁ ନୁହେଁ, ବରଂ ଜୀବିକା ରକ୍ଷା ତଥା ନିରନ୍ତର ପୁନରୁଦ୍ଧାର ପାଇଁ ମଧ୍ୟ ଏହା ଜରୁରୀ । ଏହାପୂର୍ବରୁ ‘ହୁ’ ଚେତାବନୀ ଦେଇଥଲା ଯେ, କରୋନା ଭୂତାଣୁ ନୂଆ ରୂପ ନେଉଥିବାରୁ ଟିକା ମଧ୍ୟ ବିକଶିତ ହେବା ଆବଶ୍ୟକ । କରୋନାର ନୂଆ ଭାରିଆଂଟ ଅଧିକ ସଂକ୍ରମକ ହୋଇ ଜନ୍ମ ନେଉଥିବାରୁ ଟିକା ମଧ୍ୟ ତାକୁ ହରାଇବାରେ ସକ୍ଷମ ହେବା ଜରୁରୀ ।
