ଜେଲ୍ରୁ ମୁକୁଳିବେ ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଗୁର୍ମୀତ୍ ରାମ୍ ରହିମ୍ ସିଂହ
ନୂଆଦିଲ୍ଲୀ : ଜେଲ୍ରୁ ମୁକୁଳିବେ ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଗୁର୍ମୀତ୍ ରାମ୍ ରହିମ୍ ସିଂହ। ପ୍ରାୟ ୨ ବର୍ଷ ପରେ ୨୧ ଦିନ ଛୁଟି ପାଇ ସୋମବାର ସନ୍ଧ୍ୟାରେ ଜେଲ୍ରୁ ମୁକୁଳିବେ। ତାଙ୍କୁ ହରିୟାଣା ସରକାର ୩ ସପ୍ତାହ ଛୁଟି ମଞ୍ଜୁର କରିଛନ୍ତି ବୋଲି ଜଣାପଡିଛି।
ଏନେଇ ହରିୟାଣା ଜେଲ୍ ମନ୍ତ୍ରୀ ରଣଜୀତ ସିଂହ ଚୌତାଲା କହିଛନ୍ତି ଯେ, ନିୟମ ଅନୁସାରେ ପ୍ରତ୍ୟେକ କଏଦୀଙ୍କର ‘ଫର୍ଲୋଫ୍’ (ଛୁଟି) ପାଇବା ଅଧିକାର ରହିଛି। ସେହି ନ୍ୟାୟ ଡେରା ମୁଖ୍ୟଙ୍କ ପ୍ରତି ମଧ୍ୟ ପ୍ରଯୁଜ୍ୟ । ୨୦୦୨ରେ ନିଜ ମ୍ୟାନେଜର୍ ମାମଲାରେ ଗତ ଅକ୍ଟୋବର ମାସରେ ଆଜୀବନ କାରାଦଣ୍ଡାଦେଶ ପାଇଥିବା ଏବଂ ୧୭ରେ ଦୁଇଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବସ୍ତ୍ୟ ହୋଇଥିବା ୫୨ ବର୍ଷିୟ ଗୁର୍ମୀତ୍ ସମ୍ପ୍ରତି ହରିୟାଣାର ରାଜଧାନୀ ଚଣ୍ଡୀଗଡ଼ରୁ ୨୫୦ କିଲୋମିଟର ଦୂର ରୋହ୍ତକ୍ ଜିଲ୍ଲାରେ ଅବସ୍ଥିତ ହାଇ-ସିକ୍ୟୁରିଟି ବ୍ୟବସ୍ଥା ଥିବା ସୁନାରିଆ ଜେଲ୍ରେ କଏଦୀ ଭାବେ ଅଛନ୍ତି। ପଡ଼ୋଶୀ ପଞ୍ଜାବ ରାଜ୍ୟରେ ନୂଆ ସରକାର ପାଇଁ ଭୋଟ୍ ଗ୍ରହଣ ଆଉ ଦୁଇ ସପ୍ତାହରୁ କମ୍ ଥିବା ବେଳେ ରାମ୍ ରହିମ୍ଙ୍କୁ ‘ପାରୋଲ୍’ରେ ମୁକ୍ତ କରାଯିବା ଉଲ୍ଲେଖନୀୟ ଘଟଣା।
ସୂଚନା ଯେ, ପଞ୍ଜାବରୁ କଂଗ୍ରେସକୁ ହଟାଇବା ପାଇଁ ସମ୍ପ୍ରତି ହରିୟାନାରେ କ୍ଷମତାସୀନ ଥିବା ‘ବିଜେପି’ ଉଦ୍ୟମ ଚଳାଇଛି। ଡେରା ଅନୁଗାମୀ ଏବଂ ରାମ୍ ରହିମ୍ଙ୍କ ଅନୁଗାମୀମାନଙ୍କର ପଞ୍ଜାବର ମାଲ୍ୱା ଅଞ୍ଚଳରେ ବିଶେଷ ପ୍ରଭାବ ଥିବାରୁ ସଂସଦୀୟ ଏବଂ ବିଧାନସଭା ନିର୍ବାଚନ ଫଳାଫଳରେ ସେମାନଙ୍କ ଭୋଟ୍ ଗୁରୁତ୍ବ ବହନ କରେ।
