ସୋମବାରରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡ଼ି
ଭୁବନେଶ୍ୱର: ବନ୍ଦ ରହିଥିବା ଭୁବନେଶ୍ୱର ଏମ୍ସ ଓପିଡି ଆସନ୍ତା ୭ରୁ ଖୋଲିବ । କୋଭିଡ ସଂକ୍ରମଣ କମିବା ଓ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଷ୍ପତି ନିଆଯାଇଛି । ସବୁ ଡିପାର୍ଟମେଂଟକୁ ଓପିଡି ସିଡ୍ୟୁଲ ପାଳନ ପାଇଁ ଏମ୍ସ କର୍ତୃପକ୍ଷ ନିର୍ଦେଶ ଦେଇଥିବା ସୂଚନା ମିଳିିଛି ।
କରୋନା ସଂକ୍ରମଣ ଯୋଗୁ ଜାନୁଆରୀ ୧୭ ତାରିଖରୁ ଭୁବନେଶ୍ୱର ଏମ୍ସର ଓପିଡି ସେବା ବନ୍ଦ ରହିଥିବା ବେଳେ ଆସନ୍ତା ୭ ତାରିଖ (ସୋମବାର)ରୁ ଏହା ପୁଣି ଆରମ୍ଭ ହେବ ବୋଲି ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟ୍ରେ କୁହାଯାଇଛି ଯେ ଏବେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଛି । ଏହା ସହିତ ଓପିଡି ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଦାବି ମଧ୍ୟ ହୋଇଆସୁଥିଲା । ଏସବୁ କଥାକୁ ବିଚାରକୁ ନେଇ ଆସନ୍ତା ୭ ତାରିଖରୁ ଓପିଡି ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତି ନିଆଯାଇଛି । ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍ମିସନ ଏବଂ ଓଟି ଗୁଡ଼ିକ କାର୍ଯ୍ୟକାରୀ ହେବ ।
କୋଭିଡ୍ ଲେବର ରୁମ୍ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି । ଜାନୁଆରୀ ମାସରେ କରୋନା ସଂକ୍ରମଣ ବଢ଼ିବା ପରେ ଭୁବନେଶ୍ୱର ଏମ୍ସ କର୍ତୃପକ୍ଷ ଓପିଡି ସେବାକୁ ବନ୍ଦ କରି ଦେଇଥିଲେ । ତେବେ ଜରୁରିକାଳୀନ ସେବା ଜାରି ରହିଥିଲା । ଭୁବନେଶ୍ୱର ଏମ୍ସର ଛାତ୍ରଛାତ୍ରୀ ଓ ଡାକ୍ତରଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମିଶାଇ ପ୍ରାୟ ୩୦୦ ଜଣ କରୋନା ଆକ୍ରାନ୍ତ ହୋଇଥିଲେ ।
