ନିର୍ବାଚନ ରଣାଙ୍ଗନାରେ ନର୍ସ : ଚାକିରି ଛାଡ଼ି ପ୍ରଚାରରେ ମାତିଛନ୍ତି ବିଜେପି ଜିଲା ପରିଷଦ ପ୍ରାର୍ଥୀ ସଙ୍ଗୀତା ରାଣୀ ପଣ୍ଡା
କେନ୍ଦୁଝର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି । କୋଭିଡ କଟକଣା ଲାଗି ସଭା ସମିତି ମନା । ତେଣୁ ପ୍ରାର୍ଥୀ ଭୋଟରଙ୍କ ପାଖରେ ପହଞ୍ଚିବା ଲାଗି ଡୋର-ଟି-ଡୋର୍ କ୍ୟାମ୍ପେନ ରେ ଝାଳ ବୁହାଉଛନ୍ତି । ଏହି ପରିପ୍ରେକ୍ଷୀରେ ନର୍ସ ଚାକିରି ଛାଡ଼ି ନିର୍ବାଚନ ରଣାଙ୍ଗନାରେ ପାଦ ଦେଇଛନ୍ତି ସଙ୍ଗୀତା ରାଣୀ ପଣ୍ଡା। ମହାମାରୀ ବେଳେ କୋଭିଡ୍ ବିରୋଧରେ ଲଢ଼େଇ କରି କୋଭିଡ୍ର ପଞ୍ଝାରୁ ରୋଗୀଙ୍କ ଜୀବନ ଛଡ଼ାଇ ଆଣିଥିଲେ। ଏବେ ସିଷ୍ଟମ୍ ବିରୋଧରେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏଥିପାଇଁ ନର୍ସ ଚାକିରି ଛାଡ଼ି ସାଥୀମାନଙ୍କୁ ଧରି ଗାଁକୁ ଗାଁ ବୁଲି ଭୋଟ୍ ଭିକ୍ଷା କରୁଛନ୍ତି।
କେନ୍ଦୁଝର ଜିଲାର ପାଟଣା ବ୍ଲକ ମଙ୍ଗଳପୁର ଗାଁର ସବିର ଦାଶଙ୍କ ପତ୍ନୀ ହେଉଛନ୍ତି ସଙ୍ଗୀତା ରାଣୀ ପଣ୍ଡା। ସେ ମହାମାରୀ କରୋନା ବେଳେ କୋଭିଡ୍ ହସ୍ପିଟାଲ୍ରେ ନର୍ସ ଭାବେ ଚାକିରି କରିଛନ୍ତି। ଦୀର୍ଘ ଦୁଇ ବର୍ଷ ଧରି ମହାମାରୀ ଭିତରେ ନିରବଚ୍ଛିନ୍ନ ଭାବେ ରୋଗୀଙ୍କ ସେବା କରିଛନ୍ତି। ସେମାନଙ୍କ ସୁଖ ଓ ଦୁଃଖ ବେଳେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି। ସାଧାରଣ ଲୋକଙ୍କ ଭଲ ପାଇବା ତାଙ୍କୁ ଆଗକୁ ଯିବାକୁ ରାସ୍ତା ଦେଖାଇଥିଲା। ଆଉ ଲୋକଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ସଙ୍ଗୀତା ଚାକିରି ଛାଡ଼ି ରାଜନୀତି ଆଖଡ଼ାରେ ପାଦ ଥାପିଛନ୍ତି।
ତ୍ରିସ୍ତରୀୟ ନିର୍ବାଚନରେ ସଙ୍ଗୀତା ପାଟଣା ବ୍ଳକର ୨୩ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ସେ ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ସଙ୍ଗୀତା ଏବେ ସମର୍ଥକଙ୍କୁ ଧରି ଗାଁକୁ ଗାଁ ବୁଲୁଛନ୍ତି। ଘରକୁ ଘର ଯାଇ ଭୋଟ୍ ଦେବାକୁ ସମସ୍ତଙ୍କୁ ନିବେଦନ କରୁଛନ୍ତି। ସଙ୍ଗୀତା ଯେଉଁ ଗାଁକୁ ପ୍ରଚାର ପାଇଁ ଯାଉଛନ୍ତି, ସେଠି ତାଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି। ଗାଁ ଲୋକେ ହଳଦୀ ପାଣିରେ ତାଙ୍କ ଗୋଡ଼ ଧୋଇ ଦେଉଛନ୍ତି। ପରେ ଧୂଳ ଓ ଫୁଲ ଦେଇ ବନ୍ଦାପନା କରୁଥିବା ଦେଖିବାକୁ ମିଳିଛୁ। ଲୋକଙ୍କ ଏହି ଭଲ ପାଇବାକୁ ପାଥେୟ କରି ସଙ୍ଗୀତା ନିର୍ବାଚନ ମଇଦାନ ପାର୍ ହେବେ ବୋଲି ଆଶା ରଖିଛନ୍ତି। ସେପଟେ ସଙ୍ଗୀତାଙ୍କ ସ୍ୱାମୀ ସବିର ମଧ୍ୟ ପ୍ରଚାରରେ ମାତିଛନ୍ତି। କରୋନା ବେଳେ ସେ ମଧ୍ୟ ସଙ୍ଗୀତାଙ୍କ ପରି ଲୋକ ସେବା କରିଛନ୍ତି। ଘରେ ଖାଦ୍ୟ ରୋଷେଇ କରି ଗରିବ ଓ ଅସହାୟ ଲୋକଙ୍କୁ ବାଣ୍ଟିଛନ୍ତି।
