କୋହଳ ହୋଇପାରେ ପଞ୍ଚାୟତ ନିର୍ବାଚନ କଟକଣା! ସଭାସମିତିକୁ ମିଳବ ଅନୁମତି
ଭୁବନେଶ୍ଵର : ରାଜ୍ୟରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତ ସଂଖ୍ୟା କମିବାରେ ଲାଗିଛି। ଫଳରେ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ସମ୍ଭାବନା ବଢ଼ିବାରେ ଲାଗିଛି। ପଞ୍ଜାୟତ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା କୋହଳ କରିବାକୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଦାବି କଲେଣି।
ଦେଶରେ କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଫଳରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ କଟକଣା କୋହଳ କରିଛନ୍ତି । ନିର୍ବାଚନ କମିଶନ ୧ହଜାର ଲୋକଙ୍କକୁ ନେଇ ସଭାସମିତି କରିବାକୁ ଅନୁମତି ଦେଇଛନ୍ତି । ଏହାକୁ ନେଇ ଏବେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦାବି ଜୋର ଧରିଲାଣି । ରାଜନୈତିକ ଦଳର ନେତାମାନେ ରାଲି ଶୋଭାଯାତ୍ରା କରିବାକୁ ମନ ବଳାଇଲେଣି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇବ ବୋଲି କହିଛି ବିଜେଡି। ଏନେଇ ବିଜେପି ମଧ୍ୟ କହିଛି ପ୍ରଚାର ପାଇଁ ରାଜ୍ୟନିର୍ବାଚନ କମିଶନ ସୁଯୋଗ ଦେବାର ଆବଶ୍ୟକ। ସେହିପରି କଂଗ୍ରେସ ମଧ୍ୟ କଟକଣା କୋହଳ କରିବାକୁ ଦାବି କରିଛି।
ସୂଚନା ଯେ, ରାଜ୍ୟରେ କରୋନା ସଂକ୍ରମଣ ଗତି ଲଗାତର ଭାବେ କମିବାରେ ଲାଗିଛି। ଆଉ ଅଳ୍ପ ଦିନ ଭିତରେ ରାଜ୍ୟ ଭଲ ସ୍ଥିତିକୁ ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁମାନ କରୁଛନ୍ତି । ତେଣୁ କଟକଣା ଧିରେ ଧିରେ କୋହଳ ହେବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ରାଜ୍ୟ ନିର୍ବାଚନ କମିଶନ ବର୍ତମାନ ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ସପ୍ତାହରେ ଶେଷ ବେଳକୁ ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ସାନି ଘୋଷଣା କରିପାରନ୍ତି।
