ଆଇପିଏଲ୍ ପ୍ରେମୀଙ୍କ ପାଇଁ ଖୁସି ଖବର; ମହାରାଷ୍ଟ୍ରରେ ଲିଗ୍, ଗୁଜରାଟରେ ପ୍ଲେ ଅଫ୍ ମ୍ୟାଚ୍!
ମୁମ୍ବାଇ : ମହାମାରୀ କରୋନା ସ୍ଥିତି ଆପାତତଃ ନିୟନ୍ତ୍ରଣାଧୀନରେ ଥିବାରୁ ଚଳିତବର୍ଷ ‘ଆଇପିଏଲ୍’ ସ୍ୱଦେଶୀ ପରିବେଶ ଅର୍ଥାତ୍ ଭାରତରେ ଖେଳାଯିବାର ସମ୍ଭାବନା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି । ବିସିସିଆଇ ମଧ୍ୟ ଭାରତରେ ଆଇପିଏଲ୍ ଆୟୋଜନ କରିବାର ଲକ୍ଷ୍ୟ ନେଇ ତା’ର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି । ସଂପ୍ରତି ଆଇପିଏଲ୍ର ଲିଗ୍ ପର୍ଯ୍ୟାୟକୁ ମହାରାଷ୍ଟ୍ର ଏବଂ ପ୍ଲେ ଅଫ୍କୁ ଗୁଜରାଟର ଅହମଦାବାଦରେ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ।
ବୋର୍ଡ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସହମତି ଭିତିରେ ମହାରାଷ୍ଟ୍ରର ତିନିଟି ଷ୍ଟାଡିୟମ୍ ୱାଙ୍ଖଡେ, ବ୍ରାବର୍ଣ୍ଣ ଓ ଡିୱାଇ ପାଟିଲରେ ଲିଗ୍ ପର୍ଯ୍ୟାୟର ସବୁ ମ୍ୟାଚ୍ ଏବଂ ଅହମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ସବୁ ଫ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ । ବିସିସିଆଇର ଏଭଳି ନିଷ୍ପତିକୁ ବ୍ରାବର୍ଣ୍ଣ ଷ୍ଟାଡିୟମ୍ର ପରିଚାଳନା ଦାୟିତ୍ୱରେ ଥିବା କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ (ସିସିଆଇ)ର ସଭାପତି ପ୍ରେମଲ ଉଦାନି ସ୍ୱାଗତ କରିଛନ୍ତି । ‘‘ହଁ, ମୁଁ ଭାବୁଛି ଆଇପିଏଲ୍ ସିସିଆଇକୁ ଆସୁଛି । ଆମେ ଏହାକୁ ଆୟୋଜନ କରି ଅତ୍ୟନ୍ତ ଖୁସି ହେବୁ’’ ବୋଲି ଏକ ସାକ୍ଷାତକାର ଅବସରରେ ପ୍ରେମଲ କହିଛନ୍ତି । ସବୁଠାରୁ ବଡ଼ ଖୁସି ଖବର ହେଲା ଆଇପିଏଲ୍-୨୦୨୨ରେ କିଛି ଦର୍ଶକଙ୍କୁ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବାର ଅନୁମତି ମିଳିପାରେ । ଷ୍ଟାଡିୟମ୍ କ୍ଷମତାର ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବାକୁ ଚିନ୍ତା କରାଯାଉଥିଲା ବେଳେ ଅବଶ୍ୟ ଏହା ମହରାଷ୍ଟ୍ର ଓ ଗୁଜରାଟର ସେତେବେଳର କୋଭିଡ୍ ସ୍ଥିତି ଉପରେ ନିର୍ଭରଶୀଳ ରହିବ ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମହାରାଷ୍ଟ୍ର ଓ ପୁଣେରେ କରୋନାର ପ୍ରଭାବ କମିକମି ଯାଉଛି ଓ ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ଏବେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଅଧିକ ନାହିଁ । ତେଣୁ ରାଜ୍ୟ ସରକାର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ପ୍ରବେଶ ଲାଗି ଅନୁମତି ଦେଇପାରନ୍ତି । ୱାଙ୍ଖେଡେ ଷ୍ଟାଡିୟମରେ ଡିସେମ୍ବରରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା । ବିସିସିଆଇ ଅନୁସାରେ, ଆଇପିଏଲର ୧୫ତମ ସିଜିନର ମ୍ୟାଚଗୁଡିକର ଆୟୋଜନ ମୁମ୍ବାଇରେ ଓ ପ୍ଲେଅଫ୍ ମ୍ୟାଚଗୁଡିକର ଆୟୋଜନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆୟୋଜନ କରିବାକୁ ବିଚାର କରାଯାଉଛି । ଆଇପିଏଲ୍-୨୦୨୨ର ମ୍ୟାଚଗୁଡିକ ମାର୍ଚ୍ଚ ୨୭ ତାରିଖରୁ ଖେଳାଯାଇ ପାରେ ବୋଲି ବିସିସିଆଇ ପୂର୍ବରୁ ସଙ୍କେତ ଦେଇଛି । ତେବେ କେବେ ଆଇପିଏଲ୍ ଆରମ୍ଭ ହେବ ଏହାର ସଠିକ୍ ତାରିଖ ବିସିସିଆଇ ଘୋଷଣା କରିନାହିଁ ।
ସୂଚନା ଯେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଆଇପିଏଲ-୨୦୨୨ରେ ଷ୍ଟାଡିୟମରେ ବସି ଖେଳ ଦେଖିବାକୁ ଦର୍ଶକମାନଙ୍କୁ ଅନୁମତି ମିଳିବାର ଆଶା ଦେଖା ଦେଇଛି । ବିସିସିଆଇ ପୂର୍ବରୁ ହିଁ ନିର୍ଦ୍ଧାରିତ କରିଛି ଯେ ଆଇପିଏଲ-୨୦୨୨ର ମ୍ୟାଚଗୁଡିକ ମୁମ୍ବାଇରେ ଖେଳାଯିବ । ମହାରାଷ୍ଟ୍ରରେ କରୋନା ହାର ହ୍ରାସ ପାଉଥିବା ଦେଖି ଆଇପିଏଲ୍ ମ୍ୟାଚରେ ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ଅନୁମତି ମିଳି ପାରେ ।
