ଇତିହାସ ରଚିବ ଟିମ୍ ଇଣ୍ଡିଆ; ରୋହିତଙ୍କ ନେତୃତ୍ୱରେ ଖେଳିବ ହଜାରେ ତମ ଦିନିକିଆ ମୁକାବିଲା
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ ବିପକ୍ଷରେ ଆସନ୍ତା ଫେବୃଆରୀ ୬ ତାରିଖରୁ ଘରୋଇ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଗତ କିଛିଦିନ ହେଲା ଭାରତୀୟ ଟିମ୍ରେ ବ୍ୟାପକ ଅଦଳବଦଳ ହୋଇଛି । ଏବେ ଦଳର ଭାର ନୂଆ ଅଧିନାୟକଙ୍କ ହାତରେ ରହିଛି । ରୋହିତ ଶର୍ମା ଉଭୟ ଟି-୨୦ ଏବଂ ଦିନିକିଆ ଫର୍ମାଟର ପୂର୍ଣ୍ଣକାଳୀନ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ପ୍ରଥମ ଦିନିକିଆ ଫେବୃଆରୀ ୬ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ସେହି ମ୍ୟାଚ୍ ଐତିହାସିକ ହେବାକୁ ଯାଉଛି । ଅଧିନାୟକ ହେବାପରେ ପ୍ରଥମ ଥର ପାଇଁ କୌଣସି ସିରିଜ୍ରେ ନେତୃତ୍ୱ ନେବାକୁ ଯାଉଛନ୍ତି ହିଟ୍ମ୍ୟାନ୍ । ଖାସ୍ କଥା ହେଉଛି, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ସିରିଜ୍ ଭାରତର ୧୦୦୦ତମ ଦିନିକିଆ ମୁକାବିଲା ହେବ । ବିଶ୍ୱର ପ୍ରଥମ ଦଳ ଭାବେ ଏଭଳି ନିଆରା ରେକର୍ଡ କରିବ ଭାରତ । ଏଥିପାଇଁ ରୋହିତ ଶର୍ମାଙ୍କ ନାଁ ଇତିହାସ ହୋଇ ରହିବ କାରଣ ସେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି ।
ସୂଚନା ଯେ, ୧୯୭୪ ମସିହାରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳିଥିଲା ଭାରତ । ଇଂଲଣ୍ଡ ବିପକ୍ଷରେ ଖେଳିଥିବା ଏହି ଦିନିକିଆରେ ପରାଜିତ ହୋଇଥିଲା ଭାରତ । ସେତେବେଳେ ଦିନିକିଆ ମ୍ୟାଚ୍? ୬୦ ଓଭର ବିଶିଷ୍ଟ ଥିଲା । କିନ୍ତୁ ଏବେ ସମୟ ବଦଳିଛି । ଏବେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ କ୍ରିକେଟ୍ ଟିମ୍ ଭାବେ ଭାରତର ସ୍ୱତନ୍ତ୍ର ଏକ ନାଁ ରହିଛି । ବର୍ତମାନ ପର୍ଯ୍ୟନ୍ତ ଭାରତ ମୋଟ ୯୯୯ଟି ଦିନିକିଆ ଖେଳିଥିବା ବେଳେ ସେଥିମଧ୍ୟରୁ ୫୧୮ଟିରେ ବିଜୟୀ ହୋଇଛି ଏବଂ ୪୩୧ଟିରେ ପରାଜିତ ହୋଇଛି । ଭାରତ ପଛକୁ କଙ୍ଗାରୁ ଦଳ ୯୫୮ ଦିନିକିଆ ଖେଳି ୫୮୧ଟିରେ ବିଜୟୀ ହୋଇଥିବା ବେଳେ ୩୩୪ଟିରେ ପରାଜୟର ସାମ୍ନା କରିଛି । ଏହି ଲିଷ୍ଟରେ ୩ ନମ୍ବରରେ ଥିବା ପାକିସ୍ତାନ ୯୩୬ ଦିନିକିଆ ଖେଳି ୪୯୦ରେ ବିଜୟ ଏବଂ ୪୧୭ଟିରେ ପରାଜୟର ସ୍ୱାଦ ଚାଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦୁଇ ଦୁଇଟି ବିଶ୍ୱକପ ମିଶନରେ ସାମିଲ ହେବାକୁ ଯାଉଛି । ଚଳିତ ବର୍ଷ ଶେଷରେ ଟି-୨୦ ବିଶ୍ୱକପ ହେବାକୁ ଯାଉଥିବା ବେଳେ ଆସନ୍ତାବର୍ଷ ଆରମ୍ଭରୁ ହିଁ ଦିନିକିଆ ବିଶ୍ୱକପ ହେବାକୁ ଯାଉଛି । ଉଭୟ ବିଶ୍ୱକପର ନେତୃତ୍ୱ ନେବେ ହିଟ୍ ମ୍ୟାନ୍ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ରୋହିତ ଶର୍ମା ଆହତ ଥିବାରୁ ତାଙ୍କ ସ୍ଥାନରେ ନେତୃତ୍ୱ ନେଇଥିଲେ ଲୋକେସ ରାହୁଲ ।
