ଆଜିଠୁ ସଂସଦର ବଜେଟ୍ ଅଧିବେଶନ, ଆସନ୍ତାକାଲି ବଜେଟ୍
ନୂଆଦିଲ୍ଲୀ : ଆଜିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ସୋମବାର ପୂର୍ବାହ୍ନ ୧୧ଟାରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ବୋଧିତ କରିବେ । ଏହା ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ସଂସଦର ପ୍ରଥମ ଭାଗ ବଜେଟ୍ ଅଧିବେଶନ ଜାନୁୟାରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ । ଫେବୃୟାରୀ ପହିଲାରେ ଲୋକସଭାରେ ବଜେଟ୍ ଉପସ୍ଥାପନ କରାଯିବ । ବଜେଟ୍ ଅଧିବେଶନର ଦ୍ୱିତୀୟ ଭାଗ ବୈଠକ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସଂସଦର ବଜେଟ୍ ଅଧିବେଶନ ବୈଠକର ଦୁଇଟି ପର୍ଯ୍ୟାୟ (ସିଫ୍ଟ)ରେ ଚାଲିବ ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ପହିଲାରେ ୨୦୨୨-୨୩ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ୨୦୧୪ରେ କ୍ଷମତାକୁ ଆସିବା ପରେ ଏହା ମୋଦୀ ସରକାରଙ୍କ ଅଷ୍ଟମ ବଜେଟ୍ ହେବ । କୋଭିଡ-୧୯ ମହାମାରୀର ତୃତୀୟ ଲହର ଏବଂ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ମଧ୍ୟରେ ଏହି ବଜେଟ୍ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାଗଜ ବିହୀନ ବଜେଟ୍ ଉପସ୍ଥାପନ କରିବେ । ଦେଶର ନାଗରିକମାନେ ବର୍ତମାନ ଗୋଟିଏ କ୍ଲିକରେ ନିଜ ଫୋନରେ ସଂସଦୀୟ ପ୍ରକ୍ରିୟାର ସିଧାସଳଖ ପ୍ରସାରଣ ଦେଖିପାରିବେ । ଗତ ଗୁରୁବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦର ଏକ ଡିଜିଟାଲ୍ ଆପ୍ ଶୁଭାରମ୍ଭ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି ଯେ, ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଡିଜିଟାଲ୍ ଇଣ୍ଡିଆର ନୂଆ ଯୁଗ ବୃଦ୍ଧି ପାଉଛି । ବୃହତମ ଗଣତନ୍ତ୍ରର ସଂସଦ ମଧ୍ୟ ଡିଜିଟାଲ୍ ପଦ ଚିହ୍ନକୁ ସଂପ୍ରସାରିତ କରୁଛି । ଡିଜିଟାଲ୍ ସଂସଦ ଆପ୍ ଏହି ଦିଗରେ ଏକ ବଳିଷ୍ଠ ପଦକ୍ଷେପ ।
