ଯବାନଙ୍କୁ ବଡ଼ ସଫଳତା : ୧୨ ଘଂଟାରେ ୫ ଆତଙ୍କବାଦୀ ନିପାତ
ଶ୍ରୀନଗର : ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ୧୨ ଘଂଟାରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । ଜମ୍ମୁ-କାଶ୍ମୀରର ସୁରକ୍ଷାକର୍ମୀ ୧୨ ଘଂଟାରେ ୫ ଲଶ୍କର-ଏ-ତୋଏବା ଓ ଜୈଶ-ଏ-ମହମ୍ମଦର ୫ ସଦସ୍ୟଙ୍କୁ ନିପାତ କରିଛନ୍ତି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ-ଏ-ମହମ୍ମଦର କମାଣ୍ଡର ଜାହିଦ ୱାନି ଓ ଆଉ ଏକ ପାକିସ୍ତାନୀ ଆତଙ୍କବାଦୀ ରହିଛି ।
ଜମ୍ମୁ-କାଶ୍ମୀର ଡିଜିପିଙ୍କ କହିବାନୁସାରେ, ଶନିବାର ବଡଗାମ୍ ଜିଲ୍ଲାର ଚରାରେଶ୍ରୀଫ୍ ଓ ପୁଲୱାମା ଜିଲ୍ଲାର ନାଏରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ବଡଗାମରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ । ପରେ ଆଉ ଜଣେ ଆତଙ୍କବାଦୀ ଟଳିଥିଲା । ସେହିପରି ଆତଙ୍କବାଦୀ ମାନେ ଏକ ବଡ ଷଡଯନ୍ତ୍ର ରଚୁଥିଲେ । କିନ୍ତୁ ସୂଚନା ପାଇଁ ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଯବାନଙ୍କୁ ଦେଖି ଭୟରେ ଆତଙ୍କବାଦୀମାନେ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ଅପରେସନରେ ସ୍ଥାନୀୟ ପୋଲିସ, ସେନା ଓ ସିଆରପିଏଫ ଯବାନ ସାମିଲ ଥିଲେ । ନିପାତ ହୋଇଥିବା ଜୈଶ କମାଣ୍ଡର ଜାହିଦ ଜମ୍ମୁ-କାଶ୍ମୀରରେ ନେଟୱର୍କ ଚଳାଇଥିଲା । ସେ ପୁଲୱାମା ବିସ୍ଫୋରଣରେ ବି ସାମିଲ ଥିଲା । ଯେଉଁଥିରେ ୪୦ରୁ ଅଧିକ ସିଆରପିଏଫ ଯବାନ ସହିଦ ହୋଇଥିଲେ ।
