ବଦଳିଲା ଟ୍ରଲର ମାଲିକଙ୍କ ଭାଗ୍ୟ ! ମାଛ କରିଦେଲା କୋଟିପତି, ୨କୋଟିରେ ବିକ୍ରି ହେଲା ୧୨୧ଟି ତେଲିଆ ଭୋଲା ମାଛ
କଲକାତା : ବଦଳିଲା ଟ୍ରଲର ମାଲିକଙ୍କ ଭାଗ୍ୟ । ଏକାଥରକେ କୋଟିପତି କରିଦେଇଛି ସାମୁଦ୍ରିକ ମାଛ । ବିଶ୍ୱାସଯୋଗ୍ୟ ହେଉନଥିଲେ ମଧ୍ୟ ଏହା ସତ୍ୟ । ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳରୁ ଶନିବାର ଏକ ଟ୍ରଲରରେ ୧୨୧ଟି ତେଲିଆ ଭୋଲା ମାଛ ଜାଲରେ ଧରାପଡ଼ିଛି । ଏହି ମାଛଗୁଡ଼ିକୁ ମତ୍ସ୍ୟଜୀବୀମାନେ ଦୀଘା ମୁହାଣ ମତ୍ସ୍ୟବିକ୍ରି କେନ୍ଦ୍ରକୁ ଆଣି ନିଲାମ କରିଦେଇଥିଳେ । ପ୍ରତ୍ୟେକ ମାଛର ଓଜନ ୧୮କେଜିରୁ ଉର୍ଦ୍ଧ୍ୱ ଥିବାବେଳେ କଲକାତାର ଏକ କମ୍ପାନୀ ୨କୋଟି ଟଙ୍କାରେ ଏ ସମସ୍ତ ମାଛକୁ କିଣି ନେଇଥିଲେ । ଏହି ମାଛ ବ୍ଲାଡାରରୁ ଔଷଧୀୟ କାର୍ଯ୍ୟରେ ବ୍ୟବହୃତ ହୁଏ ବୋଲି କୁହାଯାଉଛି । ଗଭୀର ସମୁଦ୍ରରୁ ଏହି ମାଛଗୁଡ଼ିକ ଧରାଯାଇଛି ବୋଲି ମତ୍ସ୍ୟଜୀବୀମାନେ ପ୍ରକାଶ କରିଛନ୍ତି ।
ସୂଚନା ଯେ, ଗତ ୨୦୨୧ ଜୁଲାଇ ୪ ତାରିଖରେ ୬୨ଗୋଟି ତେଲିଆ ମାଛକୁ ୧କୋଟି, ୨୦୨୧ ଅକ୍ଟୋବର ୨୭ରେ ୩୨ଟି ତେଲିଆ ମାଛକୁ ୬୦ଲକ୍ଷ ଓ ଶନିବାର ୧୨୧ଟି ତେଲିଆ ଭୋଲା ମାଛକୁ ୨କୋଟି ଟଙ୍କାରେ ନିଲାମ କରାଯାଇଛି । ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଖୁସି ମନାଇଛନ୍ତି ।
