ବିପଦ ସଙ୍କୁଳ ଅବସ୍ଥାରେ ସଜନାଗଡ଼ ବଡ଼ପୋଲ, ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ
ଫେବୃଆରୀ ୧୦ ସୁଦ୍ଧା କାମର ଅଗ୍ରଗତି ନହେଲେ କାର୍ଯ୍ୟାନୁଷ୍ଠାନ
ନୀଳଗିରି : ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି ଉଦଳା ୧୯ନଂ. ରାଜ୍ୟ ରାଜପଥର ନୀଳଗିରି ନିକଟ ସଜନାଗଡ଼ ଦେଇ ଯାଇଥିବା ବଡ଼ପୋଲ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ଘାଘରା ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟ ୨ବର୍ଷ ପୂର୍ବରୁ ପୋଲ ନିର୍ମାଣ ଲାଗି ଶିଳାନ୍ୟାସ କରା ଯାଇଥିଲା । ପରେ ସମ୍ପୃକ୍ତ ଠିକାଦାର ଉକ୍ତ କାର୍ଯ୍ୟକୁ କରୁନଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍ ପରେ କିଛି ଦିନ ହେବ କାର୍ଯ୍ୟ ଚାଲୁ ରହିଥିବା ବେଳେ କାର୍ଯ୍ୟର ମନ୍ଥରତା ସହିତ ଚାଲୁଥିବା ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଗୁରୁବାର ପ୍ୱର୍ବାହ୍ନରେ ପୂର୍ତ୍ତ ବିଭାଗର ଜିଲା ଅଧିକ୍ଷଣ ଯନ୍ତ୍ରୀ ରମେଶଚନ୍ଦ୍ର ସେଠୀ ସେତୁ ନିର୍ମାଣ ସ୍ଥାନରେ ପହଞ୍ôଚ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ସେଠାରେ ଉପସ୍ଥିତ ରହିଥିବା ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ସିଂ ଓ ଠିକା ସଂସ୍ଥାର କର୍ମଚାରୀଙ୍କ ଠାରୁ ସମସ୍ୟା ବିଷୟ ଓ କାର୍ଯ୍ୟ ମନ୍ଥରତା ବିଷୟରେ ପଚାରି ବୁଝିଥିଲେ । ପରେ ପୋଲ ଉପରଭାଗ ବିପଦ ସଂକୁଳ ଅବସ୍ଥା ମଧ୍ୟ ବୁଲି ଦେଖିଥିଲେ । ଦେଖିବା ପରେ ଆସନ୍ତା ଫେବୃୟାରୀ ୧୦ ତାରିଖ ସୁଦ୍ଧା କାମର ଅଗ୍ରଗତି ସହ ଫାଉଣ୍ଡେସନ୍ ବେସ୍ ହୋଇ ପିଲର ଉପରକୁ ଉଠିବା ଦରକାର ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ଚେତାବନୀ ଦେଇଥିଲେ ।
ସୂଚନା ଥାଉକି ନୂତନ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ପୁରୁଣା ପୋଲ ପାର୍ଶ୍ୱରେ ଥିବା ମାଟି ଅଧିକ ତାଡ଼ି ଦିଆଯାଇଥିବାରୁ ପୋଲ ଉପରେ ଭାରି ଯାନ ଚଳ ପ୍ରଚଳ ଫଳରେ ପୋଲର ଗୋଟିଏ ପାର୍ଶ୍ୱରୁ କିଛି ଅଂଶ ବଡ଼ା ସହ ୨୦ଫୁଟ ତଳକୁ ଖସି ପଡ଼ିଥିଲା । ଏଥିପାଇଁ ଦୁଇଦିନ ରାସ୍ତା ବିଛିନ୍ନ ହୋଇଯାଇଥିବା ବେଳେ କେବଳ ଦୁଇ ଚକିଆ ମଟରସାଇକେଲ ଚାଲିଥିଲା । ପରେ ବାଲି ବସ୍ତା ଓ ମରମ୍ ଦିଆଯାଇ ଗାଡି ଚଳପ୍ରଚଳ କରୁଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଏପରି ଅବସ୍ଥା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥିଲେ । ଲୋକଙ୍କ ସୁରକ୍ଷା ଦିଗରେ ପ୍ରଶାସନର ନିରବତାକୁ ନେଇ ଅଞ୍ଚଳବାସୀ ତୀବ୍ର ବିରୋଧ କରିଥିଲେ ।
