ଏସିଆ କପ୍ ହକି ସେମିଫାଇନାଲରେ ଭାରତୀୟ ମହିଳା ଟିମ
ଓମାନ : ଚଳିତ ମହିଳା ଏସିଆ କପ୍ ହକି ଚମ୍ପିଆନସିପ୍ରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । କ୍ୱାର୍ଟର-ଫାଇନାଲ ମୁକାବିଲାରେ ସିଙ୍ଗାପୁରକୁ ୯-୧ ଗୋଲ୍ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ଭାରତ । ଜାପାନ ଠାରୁ ୦-୨ରେ ପରାଜୟ ପରେ ସବିତା ପୁନିଆଙ୍କ ନେତୃତ୍ୱାଧୀନ ଟିମ ଦମଦାର କମବ୍ୟାକ୍ ସହ ଅବିଶ୍ୱସନୀୟ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତୀୟ ମହିଳା ହକି ଟିମ ସ୍ପେନ୍ ଓ ନେଦରଲାଣ୍ଡ୍ସରେ ଚଳିତ ବର୍ଷ ଶେଷ ଭାଗରେ ଖେଳାଯିବାକୁ ଥିବା ୨୦୨୨ ଏଫଆଇଏଚ ମହିଳା ହକି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି । ମ୍ୟାଚ୍ ଆରମ୍ଭରୁ ଦୁଇଟି ଗୋଲ୍ ଭାରତ ବିପକ୍ଷରେ ପଡିବା ପରେ ଆକ୍ରମଣାତ୍ମକ ରଣନୀତି ସହ ଗୋଲ୍ ବର୍ଷା କରିଥିଲେ ଭାରତୀୟ ଖେଳାଳି । ଗୁରଜିତ କୌର ସର୍ବାଧିକ ୩ଟି ଗୋଲ୍ (୮’, ୩୭’, ୪୮’) ସହ ହ୍ୟାଟ୍ରିକର ଅଧିକାରୀ ହୋଇଥିଲେ । ମୋନିକା (୬’, ୧୭’), ଜ୍ୟୋତି (୪୩’, ୫୮’), ବନ୍ଦନା କାଟାରିୟା (୮) ଓ ଓଡିଆ ଝିଅ ମାରିଆନା କୁଜୁର(୧୦’) ଗୋଲ୍ ସ୍କୋର୍ କରିଥିଲେ ।
ସିଙ୍ଗାପୁର ପକ୍ଷରୁ ଏକମାତ୍ର ଗୋଲ୍ ଲି ମିନ ତୋହ ମ୍ୟାଚ୍ର ୪୩ତମ ମିନିଟ୍ରେ କରିଥିଲେ । ବୁଧବାର (ଜାନୁଆରୀ ୨୬) ଖେଳାଯିବାକୁ ଥିବା ସେମିଫାଇନାଲ ମୁକାବିଲା ରେ ଭାରତ ସୁଲତାନ କାବୁସ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଦକ୍ଷିଣ କୋରିଆକୁ ଭେଟିବ ।
