ଶାହିନବାଗ ମାମଲାର ରାୟ ନେଇ ଆଗତ ସ୍ପଷ୍ଟିକରଣ ଆବେଦନକୁ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ୭ ଅକ୍ଟୋବର ୨୦୨୦ ଶାହିନବାଗ ମାମଲାର ରାୟ ନେଇ ଆଗତ ସ୍ପଷ୍ଟିକରଣ ଆବେଦନକୁ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ କୋର୍ଟ ରାୟ ଦେଇଥିଲେ । ଏଥିରେ ସାର୍ବଜନିକ ସଡ଼କକୁ ଅନିଶ୍ଚିତ କାଳ ଲାଗି ଅବରୋଧ କରାଯାଇ ପାରିବନି ବୋଲି କୋର୍ଟ କହିଥିଲେ । ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ.କେ.କୌଲ ଓ ଜଷ୍ଟିସ୍ ଏମ.ଏସ୍. ସୁନ୍ଦରେସଙ୍କ ପୀଠ ଏହି ମୋକଦ୍ଦମାର ବିଚାର ଶେଷ ହୋଇଥିବା ସୋମବାର କହିଛନ୍ତି ।
ଶାହିନବାଗ ମାମଲାରେ କୋର୍ଟଙ୍କ ରାୟରୁ ସବୁ କିଛି ସ୍ପଷ୍ଟ ହୋଇଯାଉଛି । ଏ ବାବଦେ ଆଉ ସ୍ପଷ୍ଟିକରଣର ଆବଶ୍ୟକତା କଣ ବୋଲି ପୀଠ ପ୍ରଶ୍ନ କରିଥିଲେ । ତେବେ ଶୁଣାଣି ଆରମ୍ଭରେ ଆଡଭୋକେଟ ଅନ ରେକର୍ଡ ମନସୁର ଅଲ୍ଲୀ ମାମଲାର ଶୁଣାଣିରେ ତର୍କ କରୁଥିବା ଓକିଲଙ୍କ ଅସୁସ୍ଥତା କାରଣରୁ ସ୍ଥଗିତ ରଖିବାକୁ ନିବେଦନ କରିଥିଲେ । ତେବେ ମୋକଦ୍ଦମା ଶେଷ ହୋଇଯାଇଥିବା ବେଳେ ପୁଣି ଥରେ କିପରି ସୂଚୀବଦ୍ଧ ହୋଇଛି ସେ ନେଇ ପୀଠ ପ୍ରଶ୍ନ ଉଠାଇବା ସହ ରାୟକୁ ନେଇ ପୁଣି ସ୍ପଷ୍ଟି କରଣ କଣ ବୋଲି ଓକିଲଙ୍କୁ ପଚାରିଥିଲେ । ରାୟକୁ ନେଇ କୌଣସି ସ୍ପଷ୍ଟିକରଣ ଦିଆଯାଇ ପାରିବ ନାହିଁ ବୋଲି ପୀଠ କହିବା ସହ ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି । ଉଲ୍ଲେଖ ଯୋଗ୍ୟଯେ ଓକିଲ ଅମିତ ଶାହଙ୍କ ଆବେଦନ ଉପରେ ଶୀର୍ଷ ନ୍ୟାୟାଳୟ ବିରୋଧ ପ୍ରଦର୍ଶନ ଲାଗି ସାର୍ବଜନିକ ସ୍ଥଳ, ସଡକ ଆଦିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅକ୍ତିଆର କରି ରଖାଯାଇପାରିବନି ବୋଲି ରାୟ ଦେଇଥିଲେ । ଏହା ସହ ସାହିନବାଗ ମାମଲାର ବିଚାର ସୁପ୍ରିମକୋର୍ଟରେ ସମାପ୍ତ ହୋଇଥିଲା ।
