ଆଜିଠୁ ଚାରି ଦିନ ବର୍ଷା, ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ
ଭୁବନେଶ୍ୱର : ଆଜିଠାରୁ ଚାରି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା,କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲାରେ ବର୍ଷା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ ଓ ୨୪ ତାରିଖରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ।
ଏହି ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ହେତୁ ଅମଳ ଧାନକୁ ବାହାରେ ନ ରଖି ସୁରକ୍ଷିତ ସ୍ଥାନକୁ ଆଣିବାକୁ ଲାଗି ପରାମର୍ଶ ଦିଆଯାଇଛି । ସେହିପରି ଆସନ୍ତା ୩ରୁ ୪ଦିନ ମଧ୍ୟରେ ରବି ଜାତୀୟ ଫସଲ ବୁଣାବୁଣି ଶେଷ କରିବାକୁ ପରାମର୍ଶ ଚାଷୀଙ୍କୁ ସତର୍କ କରାଯାଇଛି । ଆସନ୍ତା ଶନିବାର ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, ଓ କନ୍ଧମାଳରେ ହାଲୁକା କୁହୁଡି ସମ୍ଭାବନା ରହିଛି । ସେପଟେ ୨୩ ତାରିଖରେ ବର୍ଷାର ସର୍ବାଧିକ ପ୍ରଭାବ ନେଇ ଉତ୍ତର ଉପକୂଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ ବିଗତ ଦିନରେ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ବର୍ଷା ଓ କୁଆପଥର ମାଡ଼ରେ ଧାନ ଓ ପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କ୍ବିଣ୍ଟାଲ ଧାନ ବସ୍ତା ଭିଜି ଯାଇଥିଲା । ତେବେ ପୁଣି ବର୍ଷା ହେଲେ ଏଭଳି ପରିସ୍ଥିତିରେ ଚାଷୀ କଣ କରିବ ତାର ମୁଣ୍ଡରେ ବୁଦ୍ଧି ପସୁନାହିଁ ।
