୨୫ରୁ କଟକରେ ପ୍ରଥମ ବିଡବ୍ଲୁଏଫ ଓଡିଶା ଓପନ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ
ଭୁବନେଶ୍ୱର : ଓଡିଶାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖେଳାଯିବ । ପ୍ରଥମ ବିଡବ୍ଲୁଏଫ୍ ଓଡିଶା ଓପନ ବ୍ୟାଡମିଂଟନ ଆସନ୍ତା ୨୫ ତାରିଖରୁ କଟକର ବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ । ଆସନ୍ତା ୩୦ ତାରିଖ ଯାଏଁ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୧୮ଟି ଦେଶରୁ ୩୦୦ ଖେଳାଳି ଭାଗ ନେବେ । ଓଡିଶାରେ ଏହା ହେଉଛି ପ୍ରଥମ ମାର୍କି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ।
ଓଡିଶା ଓପନ ୨୦୨୨ ଏକ ବିଡବ୍ଲୁଏଫ ସୁପର ୧୦୦ ଟୁର୍ନାମେଣ୍ଟ, ଯାହାକି କଟକର ଜବାହାରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଜାନୁଆରୀ ୨୫ରୁ ୩୦ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଛି । ତେବେ ଏହି ମେଗା ଟୁର୍ନାମେଣ୍ଟ ରାଜ୍ୟ ସରକାର ଓ ବିଶ୍ବ ବ୍ୟାଡ୍ମିଣ୍ଟନ ମହାସଂଘଙ୍କ ଦ୍ବାରା ଜାରି କୋଭିଡ ଗାଇଡଲାଇନ୍ ଓ କଡା କଟକଣା ମଧ୍ୟରେ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ପ୍ରସ୍ତୁତି ନେଇ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଓଡିଶା ପ୍ରଥମ ଥର ପାଇଁ ଏହି ଇଭେଣ୍ଟ ଆୟୋଜନ କରୁଛି । ଆହ୍ବାନପୂର୍ଣ୍ଣ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାରୁ ଅଂଶଗ୍ରହଣ କରୁଥିବା ସମସ୍ତ ଖେଳାଳି ଓ ଅନ୍ୟ ସଦସ୍ୟଙ୍କୁ ସୁରକ୍ଷିତ ଓ ନିରାପଦ ପରିବେଶ ନିଶ୍ଚିତ କରିବା ଲକ୍ଷ୍ୟ ରହିଛି । କ୍ରୀଡା ଓ ଯୁବ ସେବା ବିଭାଗ, ଓଡିଶା ବ୍ୟାଡ୍ମିଣ୍ଟନ ଆସୋସିଏସନ ଓ ଭାରତୀୟ ବ୍ୟାଡ୍ମିଣ୍ଟନ ଆସୋସିଏସନର ଅଧିକାରୀଙ୍କ ସହିତ କାର୍ଯ୍ୟ କରୁଛନ୍ତି । ବିଡବ୍ଲୁଏଫସ୍ତରର ପରିବେଶରେ ଖେଳାଳିଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବାସହିତ ଟୁର୍ନାମେଣ୍ଟର ସୁପରିଚାଳନା ପାଇଁ ସମସ୍ତ ପ୍ରୟାସ କରାଯାଉଥିବା କ୍ରୀଡାମନ୍ତ୍ରୀ କହିଛନ୍ତି ।
