ଆଇସିସି ଦିନିକିଆ ଦଳ : ବାବର ଅଧିନାୟକ, ସାମିଲ୍ ନାହାନ୍ତି ଭାରତୀୟ ଖେଳାଳି
ନୂଆଦିଲ୍ଲୀ : ବର୍ଷ ୨୦୨୧ ପାଇଁ ଦିନିକିଆ ଦଳ ଘୋଷଣା କରିଛି ଇଂଟରନେସନାଲ କ୍ରିକେଟ କାଉନସିଲ୍ (ଆଇସିସି) । ବଡ କଥା ହେଉଛି ଆଇସିସି ପକ୍ଷରୁ ଜାରି କରାଯାଇଥିବା ଏହି ଲିଷ୍ଟରେ କୌଣସି ଜଣେ ବି ଭାରତୀୟ ଖେଳାଳିଙ୍କ ନାଁ ନାହିଁ । ଆଇସିସି ଜାରି କରିଥିବା ଦିନିକିଆ ଦଳରେ ପାକିସ୍ତାନର ଷ୍ଟାର ପ୍ଲେୟାର ବାବର ଆଜମ୍ ଅଧିନାୟକ ହୋଇଛନ୍ତି । ବାବରଙ୍କ ବ୍ୟତିତ ଆଉ ଜଣେ ପାକିସ୍ତାନୀ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ୧୧ ଜଣିଆ ଦଳରେ ୨ ଜଣ ପାକିସ୍ତାନୀ ଖେଳାଳି ରହିଥିବା ବେଳେ, ବାଂଲାଦେଶର ୩ ଜଣ, ଶ୍ରୀଲଙ୍କାର ୨ଜଣ, ଦକ୍ଷିଣ ଆଫ୍ରିକାର ୨ ଏବଂ ଆୟରଲାଣ୍ଡର ୨ ଜଣ ଖେଳାଳିଙ୍କୁ ଆଇସିସି ଦିନିକିଆ ଖେଳାଳି ତାଲିକାରେ ସ୍ଥାନ ମିଳିଛି । ୨୦୨୧ ମସିହାରେ ଦିନିକିଆ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆୟରଲାଣ୍ଡରୁ ୨ ଜଣ ଖେଳାଳି ଆଇସିସି ଦିନିକିଆ ଦଳରେ ସ୍ଥାନ ପାଇଥିବା ବେଳେ ଭାରତରୁ କୌଣସି ଜଣେ ମଧ୍ୟ ଖେଳାଳିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିବା ଚିନ୍ତାଜନକ । ଅନ୍ୟପଟେ ଟି-୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଆଇସିସି ପକ୍ଷରୁ ଜାରି କରାଯାଇଥିବା ବର୍ଷ ୨୦୨୧ ପାଇଁ ଟି-ଟ୍ୱେଂଟି ଟିମରେ ମଧ୍ୟ କୌଣସି ଜଣେ ହେଲେ ବି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନଥିଲା । ଏବେ ଆଇସିସି ପକ୍ଷରୁ ଦିନିକିଆ ଦଳ ଘୋଷଣା ହୋଇଥିଲେ ହେଁ, ଜଣେ ହେଲେ ବି ଭାରତୀୟ କ୍ରିକେଟର ପ୍ଲେଇ ଇଲେଭେନ୍ରେ ନାହାନ୍ତି । ଅବଶ୍ୟ ଭାରତୀୟ ଦଳ ୨୦୨୧ରେ କମ ଦିନିକିଆ ମ୍ୟାଚ୍ ଖେଳିଛି । ଗତ ସିଜିନ୍ରେ ଟିମ୍? ଇଣ୍ଡିଆ ମାତ୍ର ୬ଟି ଦିନିକିଆ ମ୍ୟାଚ୍ ଖେଳିଛି । ୨୦୨୧ ଆରମ୍ଭରୁ ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ଭାରତୀୟ ଯୁବ ଦଳ ଶ୍ରୀଲଙ୍କାରେ ଘରୋଇ ଦଳ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲା ।
ଆଇସିସି ଜାରି କରିଥିବା ଦିନିକିଆ ଦଳ ମଧ୍ୟରେ ପାକିସ୍ତାନର ଭେଟେରାନ୍ ପ୍ଲେୟାର ବାବର ଆଜମ୍ଙ୍କୁ ଅଧିନାୟକ କରିଛି । ବାବର ଗତ ସିଜିନ୍ରେ ମୋଟ ୬ ୱାନ୍?ଡେରୁ ୬୭.୫୦ ହାରରେ ୪୦୭ ରନ କରିଛନ୍ତି । ଓପନର୍ ଭାବେ ଆୟରଲାଣ୍ଡର ପୋଲ ଷ୍ଟାର୍ଲିଙ୍ଗ ଏବଂ ଦକ୍ଷିଣ ଆଫ୍ରିକାର ଜାନେମନ୍ ମଲାନଙ୍କୁ ଚୟନ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ । ଉଭୟ ଖେଳାଳି ୨୦୨୧ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଷ୍ଟାର୍ଲିଙ୍ଗ ଦିନିକିଆରେ ସବୁଠାରୁ ଅଧିକ ରନ୍ କରିଛନ୍ତି । ମୋଟ ୭ଟି ମ୍ୟାଚ୍ରୁ ସେ ୮୪.୮୩ ହାରରେ ୫୦୯ ରନ କରିଛନ୍ତି । ଆଇସିସି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଥିବା ଆଉ ଜଣେ ପାକିସ୍ତାନୀ ଖେଳାଳି ହେଉଛନ୍ତି ଫକର୍ ଜମାନ୍ । ସେ ୨୦୨୧ରେ ୬୦.୯୮୩ ହାରରେ ମୋଟ ୩୬୫ ରନ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ଲଗାତାର ୨ଟି ମ୍ୟାଚରେ ଦୁଇଟି ଶତକ ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିଭଳି ଅଲରାଉଣ୍ଡର ଭାରେ ବାଂଲାଦେଶ ଖେଳାଳି ସାକିବୁଲ ହାସନଙ୍କୁ ଆଇସିସି ଚୟନ କରିଥିବା ବେଳେ ୱକେଟ କିପର ଭାବେ ବାଂଲାଦେଶର ମୁସଫିକର ରହିମଙ୍କୁ ସ୍ଥାନ ମିଳିଛି । ବୋଲର ଭାବେ ୱାନିନ୍ଦୁ ହାସାରଙ୍ଗାଙ୍କୁ ଆଇସିସି ସ୍ଥାନ ଦେଇଛି ଆଇସିସି । ତାଙ୍କ ସହିତ ବୋଲିଂ ଲିଷ୍ଟରେ ମୁସ୍ତଫିଜୁର ରେହମାନ, ସିମି ସିଂହ ଏବଂ ଦୁଷ୍ମନ୍ତ ଚାମିରାଙ୍କୁ ସ୍ଥାନ ମିଳିଛି । ଗତ ବର୍ଷ ମୋଟ ୧୪ ଦିନିକିଆ ଖେଳି ୨୦ଟି ୱିକେଟ ନେଇଛନ୍ତି ଦୁଷ୍ମନ୍ତ ଚାମିରା ।
ଆଇସିସି ପୁରୁଷ ଦିନିକିଆ ଦଳ : ପୋଲ ଷ୍ଟାର୍ଲିଙ୍ଗ, ଜାନେମନ୍ ମଲାନ୍, ବାବର ଆଜମ (ଅଧିନାୟକ), ଫକର ଜମାନ, ଭାନ୍, ଡର୍ ଦୁସେନ୍, ଶାକିବ ଉଲ ହାସନ, ମୁସ୍ତଫିଜୁର ରହିମ (ୱିକେଟ କିପର), ୱାନିନ୍ଦୁ ହାସାରଙ୍ଗା, ମୁସ୍ତଫିଜୁର ରେହମାନ, ସିମି ସିଂହ ଏବଂ ଦୁଷ୍ମନ୍ତ ଚାମିରା ।
