ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ
ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅର୍ଥାତ ବୁଧବାର ଠୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେଉଛି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ ରାହୁଲଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇଛି । ପ୍ରଥମ ଦିନିକିଆର ପୂର୍ବ ସନ୍ଧ୍ୟାରେ ରାହୁଲ ସାମ୍ବାଦିକ ସମ୍ମିଳନୀ କରି ଅନେକ ପ୍ରଶ୍ନର ଉତର ରଖିବା ସହ ମ୍ୟାଚ୍ର ରଣନୀତି ଉପରେ ମଧ୍ୟ ଆଲୋଚନା କରିଛନ୍ତି । ରାହୁଲ କହିଛନ୍ତି, ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ସେ ଦଳର ଓପନିଂ ଦାୟିତ୍ୱ ସମ୍ଭାଳିବେ । ରାହୁଲ ଉକ୍ତ ଦିନିକିଆ ସିରିଜ୍ର କାର୍ଯ୍ୟକାରୀ ଅଧିନାୟକ । ଆର ଅଶ୍ୱିନ ପାଂଚ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତନ କରୁଥିବା ସଙ୍କେତ ଦେଇଛନ୍ତି ରାହୁଲ । ସାମ୍ବାଦିକ ସମ୍ମିଳନୀରେ କେଏଲ ରାହୁଲ କହିଛନ୍ତି, ଗତ ୧୪-୧୫ ମାସରେ ମୁଁ ଦଳର ଆବଶ୍ୟକ ମୁତାବକ ୪,୫ ସହବିଭିନ୍ନ କ୍ରମରେ ବ୍ୟାଟିଂ କରିଛି । ରୋହିତ ଏଠାରେ ନଥିବାରୁ ମୁଁ ଓପନିଂରେ ବ୍ୟାଟିଂ କରିବି । ମୁଁ ଏମିତି ବ୍ୟକ୍ତି ନୁହେଁ ଯାହା ପାଖରେ ବହୁତ ଯୋଜନା ଏବଂ ଲକ୍ଷ୍ୟ ଥିବ । ମୁଁ ଗୋଟିଏ ସମୟରେ ଗୋଟିଏ ଖେଳ ଖେଳିବାକୁ ପସନ୍ଦ କରିଥାଏ । ମୁଁ ନିଜର କ୍ରିକେଟ୍ ଏହି ପରି ଖେଳିଛି ଏବଂ ଏହି ପରି ଦଳର ନେତୃତ୍ୱ ମଧ୍ୟ ନେବି । ସେ କହିଛନ୍ତି, ମୁଁ ଏମଏସ ଧୋନୀ ଏବଂ ବିରାଟ କୋହଲିଙ୍କ ପରି ମହାନ ଅଧିନାୟକଙ୍କ ନେତୃତ୍ୱରେ ଖେଳିଛି ଏବଂ ଆଶା କରୁଛି ଯେ, ଅଧିନାୟକତ୍ୱ ସମୟରେ ତାଙ୍କଠୁ ଶିଖିଥିବା ଜ୍ଞାନକୁ ଖେଳରେ ଉପଯୋଗ କରିବି । ମୁଁ ରାସ୍ତାରେ ଭୁଲ୍ କରିବି ମାତ୍ର ମୁଁ ଶିଖିବି ଏବଂ ଆହୁରି ଉନ୍ନତ ଖେଳ ଖେଳିବି ବୋଲି କେଏଲ ରାହୁଲ କହିଛନ୍ତି । ରାହୁଲ ପ୍ରତିଭାଶାଳୀ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଦ୍ରୁତ ବୋଲର ଅଲରାଉଣ୍ଡର ଦଳ ପାଇଁ ସର୍ବଦା ମହତ୍ୱପୂର୍ଣ୍ଣ ହୋଇଥାନ୍ତି । ତାଙ୍କ ପାଇଁ ଏହି ସିରିଜ୍ ବହୁତ ଭଲ ସୁଯୋଗ ସୃଷ୍ଟି କରିଛି । ସେ ଅଦ୍ୟାବଧି ନେଟ୍ସରେ ବହୁତ ଭଲ ବୋଲିଂ କରୁଛନ୍ତି ବୋଲି ଅଧିନାୟକ କେଏଲ ରାହୁଲ କହିଛନ୍ତି ।
ସାତ ବର୍ଷରେ ପ୍ରଥମଥର କୋହଲି ଜଣେ ବ୍ୟାଟର୍ ଭାବେ ମଇଦାନକୁ ଓହ୍ଲାଇବେ । ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ଇସ୍ତଫା ଦେବା ପରେ କୋହଲି ଏବେ ଲୋକେଶ ରାହୁଲଙ୍କ ନେତୃତ୍ୱରେ ଖେଳିବେ । କୋହଲି କ୍ରିଜରେ ବ୍ୟାଟିଂ କରନ୍ତୁ କି ଫିଲ୍ଡିଂ କରନ୍ତୁ, ତାଙ୍କର ପ୍ରତିଟି ଗତିବିଧି ଉପରେ ଫ୍ୟାନଙ୍କର ନଜର ରହିବ । ସବୁବେଳେ ମଇଦାନରେ ପୂରା ଜୋଶ୍ ଓ ଆକ୍ରାମଣାତ୍ମକ ଆଭିମୁଖ୍ୟ ଆପଣାଉଥିବା କୋହଲି କ୍ୟାପଟେନ୍ ପଦ ଛାଡ଼ିବା ପରେ କିଭଳି ଆଚରଣ ଦେଖାଇବେ, ତାହା ଦେଖିବାକୁ ବାକି ରହିଛି । ଟି-୨୦ ପରେ କୋହଲି ଦିନିକିଆ କ୍ୟାପଟେନ୍ ପଦ ଛାଡ଼ିବାକୁ ଚାହୁଁନଥିଲେ ଏବଂ ଏହାକୁ ନେଇ ବିସିସିଆଇ ସହ ତାଙ୍କର ତୁ ତୁ ମେଁ ମେଁ ହୋଇଥିଲା । ତେବେ ବିସିସିଆଇ ସହ ନିଜ ବିବାଦକୁ ଭୁଲି ନିଜ କ୍ୟାରିୟରକୁ ନୂଆ ଢଙ୍ଗରେ ଆରମ୍ଭ କରିବାକୁ ତାଙ୍କର ପ୍ରଶଂସକ ଓ ଭାରତୀୟ କ୍ରିକେଟ୍ ଆଶା ରଖିଛନ୍ତି । ଦୁଇବର୍ଷ ହେଲା ତାଙ୍କ ବ୍ୟାଟରୁ ଶତକ ବାହାରି ନାହିଁ । ଯଦି ଆଜି କୋହଲିଙ୍କ ବ୍ୟାଟରୁ ରନ୍ ବର୍ଷା ହୁଏ, ତାହେଲେ ଏହା ତାଙ୍କ ପାଇଁ ଏବଂ ଫ୍ୟାନଙ୍କ ପାଇଁ ବଡ଼ ଉପହାର ହେବ । ଅନ୍ୟପଟେ ଲୋକେଶ ରାହୁଲଙ୍କ କ୍ୟାପଟେନ୍ସିର ମଧ୍ୟ ଏହା ଅସଲ ପରୀକ୍ଷା ହେବ । ଆହତ ରୋହିତ ଶର୍ମାଙ୍କ ସ୍ଥାନରେ କ୍ୟାପଟେନ୍ ହୋଇଥିବା ରାହୁଲ ଦିନିକିଆ ସିରିଜରେ କୋହଲିଙ୍କ ଠାରୁ ନିଶ୍ଚିତ ପରାମର୍ଶ ନେବେ । ଦିନିକିଆ ଟିମର ଭାଇସ-କ୍ୟାପଟେନ୍ ଯଶପ୍ରୀତ ବୁମ୍ରା କହିଥିଲେ ଯେ କୋହଲି କେବଳ ବ୍ୟାଟ୍ସମ୍ୟାନ୍ ଭୂମିକା ତୁଲାଇବେ ନାହିଁ ବରଂ ସେ ଜଣେ ଲିଡର୍ ଭାବେ ଟିମର ମାର୍ଗଦର୍ଶନ କରିବେ । ନୂଆ କ୍ୟାପଟେନ୍ ଓ ସପୋର୍ଟ ଷ୍ଟାଫଙ୍କ ସହ ଭାରତ ସିରିଜ୍ ଜିତି ୨୦୨୩ ବିଶ୍ୱକପର ପ୍ରସ୍ତୁତି କରିବାକୁ ଚାହିଁବ । ଏହାସହ ଟିମ୍ ଗତ ସପ୍ତାହରେ ଟେଷ୍ଟ ସିରିଜରେ ମିଳିଥିବା ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ଗତବର୍ଷ ମାର୍ଚ୍ଚ ମାସରେ ଭାରତ ତା’ର ପୂରା ସାମର୍ଥ୍ୟ ସହ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳିଥିଲା ।
ଘରୋଇ ସିରିଜରେ ଦମଦାର ପ୍ରଦର୍ଶନ କରି ଟିମରେ ସ୍ଥାନ ପାଇଥିବା ଋତୁରାଜ ଗାଏକ୍ୱାଡଙ୍କୁ ଡେବ୍ୟୁ କରିବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ । ଧୱନଙ୍କ ପାଇଁ ତିନୋଟି ଯାକ ଦିନିକିଆ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ସେ ଟି-୨୦ରେ ନିଜ ସ୍ଥାନ ହରାଇ ସାରିଛନ୍ତି । କୋହଲି ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ ଏବଂ ସୂର୍ଯ୍ୟକୁମାର ଓ ଶ୍ରେୟର ଆୟରଙ୍କ ମଧ୍ୟରୁ ଜଣେ ଚତୁର୍ଥ ସ୍ଥାନରେ ଆସିପାରନ୍ତି । ଋଷଭ ପନ୍ତ ପଂଚମ ଓ ଭେଙ୍କଟେଶ ଆୟର୍ ଷଷ୍ଠ ସ୍ଥାନରେ ପଦାର୍ପଣ କରିପାରନ୍ତି । ବୋଲିଂରେ ୟୁଜବେନ୍ଦ୍ର ଚହଲ୍ ଓ ଆର୍ ଅଶ୍ୱିନଙ୍କ ଉପରେ ଦାୟିତ୍ୱ ରହିବ । ବୁମ୍ରା ଓ ଭୁବନେଶ୍ୱର କୁମାର ପେସ୍ ଆଟାକ୍ ସମ୍ଭାଳିବେ । ତୃତୀୟ ପେସର୍ ଭାବେ ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର ଓ ପ୍ରସିଦ୍ଧ କୃଷ୍ଣଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିପାରେ । ଟେଷ୍ଟ ସିରିଜରେ ଆହତ ହୋଇଥିବା ମହମ୍ମଦ ସିରାଜ୍ ଫିଟ୍ ଅଛନ୍ତି । ପୂର୍ବ ଗସ୍ତରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇଥିଲା । ହେଲେ ଏଥର ଟେଷ୍ଟ ସିରିଜ୍ ଜିତିବା ପରେ ଦକ୍ଷିଣ ଆଫ୍ରିକା ମନୋବଳ ଊର୍ଦ୍ଧ୍ୱରେ ରହିଛି । ତେମ୍ବା ବାଭୁମା ନିଜର ଟେଷ୍ଟ ସିରିଜ ଫର୍ମ ଜାରି ରଖିବାକୁ ଚାହିଁବେ । ସେହିପରି ଟେଷ୍ଟକୁ ଗୁଡବାଏ କହିସାରିଥିବା କ୍ୱିଂଟନ୍ ଡି’କକ୍ ନିଜର ଉପସ୍ଥିତି ଜାହିର୍ କରିବାକୁ ଚାହିଁବେ । ଟେଷ୍ଟ ସିରିଜରେ ପ୍ରଭାବିତ କରିଥିବା ବାମହାତୀ ପେସର୍ ମାର୍କୋ ଜାନସେନ୍ ପୁଣିଥରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇ ପାରନ୍ତି ।
ଭାରତ ଦିନିକିଆ ସ୍କ୍ୱାଡ୍ : ଲୋକେଶ ରାହୁଲ୍ (କ୍ୟାପଟେନ୍), ଯଶପ୍ରୀତ ବୁମ୍ରା (ଭାଇସ୍ କ୍ୟାପଟେନ୍), ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ୍, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), ଈଶାନ୍ କିଶନ (ୱିକେଟ୍ କିପର), ୟୁଜବେନ୍ଦ୍ର ଚହଲ୍, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀପକ ଚହର୍, ପ୍ରସିଦ୍ଧ କୃଷ୍ଣ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ଜୟନ୍ତ ଯାଦବ, ନଭଦୀପ ସାଇନି ।
ଦକ୍ଷିଣ ଆଫ୍ରିକା ଦିନିକିଆ ସ୍କ୍ୱାଡ୍ : ତେମ୍ବା ବାଭୁମା (କ୍ୟାପଟେନ୍), କେଶବ ମହାରାଜ (ଭାଇସ୍ କ୍ୟାପଟେନ୍), କ୍ୱିଂଟନ୍ ଡି କକ୍, ଜୁବେର୍ ହମଜା, ମାର୍କୋ ଜାନେସେନ୍, ଜନେମନ୍ ମଲାନ୍, ସିସାନ୍ଦା ମଗଲା, ଏଡେନ୍ ମାର୍କରମ, ଡେଭିଡ୍ ମିଲର୍, ଲୁଙ୍ଗି ଏନଗିଡି, ୱେନ୍ ପାର୍ନେଲ୍, ଆଣ୍ଡିଲେ ଫେଲୁକୱାୟୋ, ଡ୍ୱେନ୍ ପ୍ରିଟୋରିୟସ, କାଗିସୋ ରବାଡା, ତବରେଜ ଶାମସୀ, ରାସି ଭାନ୍ ଡର୍ ଡୁସେନ୍, କାଇଲ୍ ଭେରେୟିନେ ।
