ରଖେ ହରି ତ ମାରେ କିଏ? ଚଳନ୍ତା ଟ୍ରକ୍ର ତଳେ ପଶି ପୁନଃର୍ଜନ୍ମ ପାଇଲେ ୬ବର୍ଷର ଶିଶୁ କନ୍ୟା
ନୀଳଗିରି : କଥାରେ ଅଛି ରଖେ ହରି ତ ମାରେ କିଏ? ୬ ବର୍ଷ ବୟସର ଶିଶୁ କନ୍ୟା ଚଳନ୍ତା ଟ୍ରକ୍ର ସାମ୍ନା ତଳ ପଟେ ପଶି ପଛ ପଟେ ବାହାରି ବଞ୍ଚି ଯାଇଥିବା ଶିଶୁ କନ୍ୟାଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି । ଗୁରୁତର ଭାବେ ଆଘାତ ହୋଇଥିଲେ ମଧ୍ୟ ଜୀବନ ବଞ୍ଚିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଯାହାକୁ ରଖିବେ ଅନନ୍ତ କି କରି ପାରେ ବଲବନ୍ତ । ଚଳନ୍ତା ଟ୍ରକ ଭିତରେ ପଶି ବଞ୍ଚିଗଲେ ୬ ବର୍ଷର ଶିଶୁ କନ୍ୟା ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ନିକଟସ୍ଥ ମିତ୍ରପୁର ଠାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଞ୍ଚଲିଙ୍ଗେଶ୍ୱର ଠାରେ କାର୍ଯ୍ୟ ସାରି ମୟୁରଭଞ୍ଜର ଖୁଣ୍ଟା ଥାନା ପସୁଦା ଅଞ୍ଚଳର ବିଜୟ ସିଂ ନିଜ ପରିବାର ସହ ଏକ ଅଟୋରେ ଘରକୁ ଫେରିବା ବେଳେ ମିତ୍ରପୁର ଠାରେ ପରିସ୍ରା କରିବା ପାଇଁ ରାସ୍ତାରେ ଅଟକିଥିଲେ । ସେହି ସମୟରେ ମିତ୍ରପୁର ଆଡୁ ନୀଳଗିରି ଅଭିମୂଖେ ଦ୍ରୁତଗତିରେ ଜାଉ ଥିବା ଏକ ଟ୍ରକ ସମୁଖରେ ୬ ବର୍ଷର ଶିଶୁ ଜ୍ୟୋତ୍ସ୍ନା ରାଣୀ ଉପରେ ଟ୍ରକ ଚାଲିଯାଇଥିଲେ ମଧ୍ୟ ସୌଭାଗ୍ୟ ବଶତଃ ଶିଶୁ କନ୍ୟାଟି ବଞ୍ଚି ଯାଇଥିଲା । ଶିଶୁ ଉପରେ ମାଡ଼ି ଯାଇ ଥିବା ଜାଣି ଟ୍ରକଟି ଦ୍ରୁତ ବେଗରେ ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ଗୋଡାଇ ଗୋଡ଼ାଇ ଅଟକାଇ ଥିବା ବେଳେ ଘଟଣା ସ୍ଥଳରୁ ଟ୍ରକର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲା । ଶିଶୁଟି ଆହତ ହୋଇ ଥିବାବେଳେ ପରିବାର ବର୍ଗ ସଙ୍ଗେ ସଙ୍ଗେ ନୀଳଗିରି ମେଡ଼ିକାଲକୁ ଆଣି ଚିକିତ୍ସା କରାଇଥିବା ସୂଚନା ମିଳିଛି ।
