ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ
ରାୟଗଡା: ଆଉ ନାହାନ୍ତି ବିଶିଷ୍ଟ ସର୍ବୋଦୟ ନେତ୍ରୀ, ଗାନ୍ଧୀବାଦୀ, ପଦ୍ମଶ୍ରୀ ଶାନ୍ତି ଦେବୀ। ରାୟଗଡା ଜିଲାର ଗୁଣୁପୁର ସ୍ଥିତ ସେବା ସମାଜ ଠାରେ ରବିବାର ବିଳମ୍ବିତ ରାତି ୧ଟା ସମୟରେ ତାଙ୍କର ଦେହାନ୍ତ ଘଟିଛି। ଦୀର୍ଘ ଦିନରୁ ଶାନ୍ତି ଦେବୀ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ଶାନ୍ତି ଦେବୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୋକ ବ୍ୟକ୍ତ କରିଛନ୍ତି।
ପଦ୍ମଶ୍ରୀ ଶାନ୍ତି ଦେବୀ, ବାଲେଶ୍ଵର ଜିଲାର ଏକ ଚାଷୀ ପରିବାରରେ ୧୯୩୮ ମସିହା ଏପ୍ରିଲ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ସେହି ଜିଲ୍ଲା ଅନ୍ତର୍ଗତ ସୁନହଟର ଜମିଦାର ପରିବାରରେ ରତନ ଦାସଙ୍କୁ ବିବାହ କରିଥିଲେ। ଉଚ୍ଚଶିକ୍ଷିତ ସ୍ବାମୀ ବଡ ସରକାରୀ ଚାକିରି ବା ଜମିଦାରୀ କାର୍ଯ୍ୟରେ ମନୋନିବେଶ କରିବା ବଦଳରେ ଗାନ୍ଧୀ ସର୍ବୋଦୟ ଆନ୍ଦୋଳନରେ ମନୋନିବେଶ କଲେ। ସେତେବେଳେ ବିନୋବା ଭାବେ ଓ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଓଡ଼ିଶାରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଆରମ୍ଭ ହୋଇଥିଲା। ବିବାହର ମାତ୍ର କେଇଟା ଦିନ ପରେ ଉଭୟ ପତିପତ୍ନୀ ରାଜସୁଖ ପରିତ୍ୟାଗ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଦିବାସୀ ବନବାସୀଙ୍କୁ ଜାଗ୍ରତ କରିବା ପାଇଁ ଜୀବନକୁ ସମର୍ପି ଦେଇଥିଲେ। ଶାନ୍ତି ଦେବୀ ଏହି ଜଙ୍ଗଲ ପାହାଡ଼ରେ କାମ କରିବା ସମୟରେ କେତେବେଳେ ବାଘ ହାବୁଡ଼ରେ ପଡିଛନ୍ତି, ହେଲେ ଡରି ଯାଇନାହାନ୍ତି କି ଫେରି ଆସି ନାହାନ୍ତି। ସର୍ବୋଦୟ କର୍ମୀକୁଳଙ୍କ ପାଇଁ ଅବିଭକ୍ତ କୋରାପୁଟର ୭୫ ଭାଗରୁ ଅଧିକ ଭୂମୀ ଲୋକେ ଦାନରେ ଦେବା ଫଳରେ ଏହି ଜିଲ୍ଲା ଜିଲ୍ଲାଦାନ ରୂପେ ଘୋଷିତ ହୋଇ ଇତିହାସ ତିଆରି କଲା।
ଲୋକେ ନିଜ ନିଜର ଜମି ଉପରୁ ମାଲିକାନା ଛାଡ଼ି ଦେଇ ଗ୍ରାମସଭାକୁ ଦାନ କଲେ। ଗ୍ରାମସଭା ମାଧ୍ୟମରେ ଗାଆଁର ଭୂମିହୀନ ଓ ଭୂମିବାନ ସମସ୍ତେ ମିଶି ଜମି ଚାଷ କରି ବଞ୍ଚିଲେ। ଗାଁର ଜମି ଖରିଦ ବିକ୍ରି ହେଲା ନାହିଁ, ଓଲଟା ବେଠି ବଗାରୀ ଆଦି ଲୋପ ହୋଇ ସାହୁକାର ବ୍ୟବସ୍ଥା ବି ହଟିଲା। ଏହି ଅଞ୍ଚଳରେ ବ୍ୟାପୁଥିବା ୟଜ ରୋଗର ନିର୍ମୂଳନ କରିବାରେ ସର୍ବୋଦୟ ଆନ୍ଦୋଳନର ଭୂମିକା ମହତ୍ତ୍ଵପୂର୍ଣ୍ଣ ଥିଲା। ଶାନ୍ତି ଦେବୀ ବିନୋବାଙ୍କ ଜୀବନୀ ଅହିଂସାର ଅନ୍ୱେଷଣ ଓ ଅନ୍ୟ କେତେକ ପୁସ୍ତକର ଅନୁବାଦ କରିବା ସହ ଅନେକ ପୁସ୍ତକ ରଚନା କରିଛନ୍ତି। ରାୟଗଡ଼ା ଜିଲ୍ଲାର ଗୁଣୁପୁର ନିକଟରେ ସେବା ସମାଜ ଗଢି ରତନ ଦାସ ଓ ଶାନ୍ତି ଦେବୀ ଅନାଥ ଓ ଆଦିବାସୀ, ହରିଜନ ପିଲାଙ୍କର ସେବାରେ ଆଜୀବନ ବ୍ରତୀ ଥିଲେ। ଶାନ୍ତୀ ଦେବୀ ଗତବର୍ଷ ସମ୍ମାନ ଜନକ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଜମୁନାଲାଲ ବଜାଜ ସମ୍ମାନ ଭଳି ଅନେକ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି।
