କେପଟାଉନରେ ପହଂଚିଲା ଟିମ୍ ଇଣ୍ଡିଆ, ଆରମ୍ଭ କରିବ ଅଭ୍ୟାସ
କେପଟାଉନ : ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ କେପଟାଉନରେ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଏଥିପାଇଁ ଶନିବାର ଭାରତୀୟ ଟିମ କେପଟାଉନରେ ପହଂଚିଛି । ଏକ ଚାଟାର୍ଡ ବିମାନ ଯୋଗେ ଜୋହାନ୍ସବର୍ଗରୁ ଟିମ କେପଟାଉନ ପହଂଚିଛି । କୋଭିଡ-୧୯ କଟକଣାକୁ ଉଭୟ ଟିମ ପାଳନ କରିଛନ୍ତି । ଭାରତୀୟ କ୍ରିକେଟ କେଂଟ୍ରାଲ ବୋର୍ଡ(ବିସିସିଆଇ) ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ, ଭାରତୀୟ ଖେଳାଳିଙ୍କୁ ଟିମ ହୋଟେଲରେ ଭବ୍ୟ ସ୍ୱାଗତ କରାଯାଉଛି । କେପଟାଉନର ନ୍ୟୁଲାଣ୍ଡ୍ସରେ ଅଭ୍ୟାସ ଆରମ୍ଭ କରିବା ପୂର୍ବରୁ ଭାରତୀୟ ଟିମ ବାୟୋବବଲରେ ସମୟ ଅତିବାହିତ କରିବ । ଦକ୍ଷିଣ ଆଫ୍ରିକା ଟିମ ମଧ୍ୟ ଶନିବାର କେପଟାଉନରେ ପହଂଚିସାରିଛି । ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ରହିଛି । ସେଂଚୁରିଅନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ ରନରେ ବିଜୟୀ ହୋଇଥିବା ଭାରତୀୟ ଟିମ, ଜୋହାନ୍ସବର୍ଗରେ ପରାସ୍ତ ହୋଇଥିଲା । ଘରୋଇ ଟିମ ବିଜୟ ସହ ସିରିଜ ବରାବର କରିଛି । ଫଳରେ ତୃତୀୟ ତଥା ସିରିଜର ନିର୍ଣ୍ଣାୟକ ଟେଷ୍ଟ ଅଧିକ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । ପିଠି ଯନ୍ତ୍ରଣା ପାଇଁ ଦ୍ୱିତୀୟ ଟେଷ୍ଟ ଖେଳିନଥିବା କ୍ୟାପଟେନ ବିରାଟ କୋହଲି ଟିମକୁ ପ୍ରତ୍ୟାବର୍ତନ କରିବେ । ସେହିପରି ମାଂସପେଶୀ ଜନିତ ଆହତ ସମସ୍ୟାରେ ଥିବା ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସ୍ଥାନରେ ଇଶାନ୍ତ ଶର୍ମା କିମ୍ବା ଉମେଶ ଯାଦବଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟ ପାଇଁ ରବିବାର ଅଭ୍ୟାସ ଆରମ୍ଭ କରିଛି ଟିମ ଇଣ୍ଡିଆ । ଜାନୁଆରୀ ୧୧ରୁ ୧୫ କେପ ଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି । ତୃତୀୟ ଟେଷ୍ଟ ପାଇଁ ଟିମ ଇଣ୍ଡିଆ ଖେଳାଳିଙ୍କ ଅଭ୍ୟାସ ସମୟର ଭିଡିଓ ସେୟାର କରିଛି ଭାରତୀୟ କ୍ରିକେଟ କେଂଟ୍ରାଲ ବୋର୍ଡ (ବିସିସିଆଇ) । ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ଭାରତକୁ ହରାଇ ଟେଷ୍ଟ ସିରିଜ ୧-୧ରେ ବରାବର କରିଛି । ମ୍ୟାଚ୍ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ତୃତୀୟ ଟେଷ୍ଟରେ ଟିମକୁ ଫେରିବା ନେଇ ଆଶାବାଦୀ ଥିବା କହିଥିଲେ । ଭର୍ଟୁଆଲ ସାମ୍ବାଦିକ ସମ୍ମିଳନୀରେ ଦ୍ରାବିଡ କହିଛନ୍ତି, ବିରାଟ କୋହଲି ତୃତୀୟ ଟେଷ୍ଟ ପାଇଁ ସଂପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ଆଶା । ନିଜର ଫିଟ୍ନେସ ଅଭ୍ୟାସ ସେସନରେ ପରୀକ୍ଷା କରିବାକୁ ବିରାଟଙ୍କ ପାଖେ ସୁଯୋଗ ରହିବ । କେପ୍ ଟାଉନରେ ଏକାଧିକ ନେଟ୍ ସେସନ ଉପଯୋଗୀ ସାବ୍ୟସ୍ତ ହେବ । ଡିନ ଏଲଗାର ଅପରାଜିତ ୯୬ ରନ୍ର ଧିନାୟକ ଇଂନିସ ଖେଳି ଘରୋଇ ଟିମକୁ ଜୋହାନ୍ସବର୍ଗ ଟେଷ୍ଟରେ ବିଜୟୀ କରାଇଥିଲେ । ଫଳରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ୧-୧ରେ ବରାବର ହୋଇଥିଲ । ସିରିଜ ବରାବର ସ୍ଥିତିରେ ଥିବାରୁ ନିର୍ଣ୍ଣାୟକ ଟେଷ୍ଟ ନେଇ ଉତ୍ସାହ ବଢିବାରେ ଲାଗିଛି । ଦକ୍ଷିଣ ଆଫ୍ରିକା ମାଟିରେ କେବେ ଭାରତୀୟ ଟିମ ଟେଷ୍ଟ ସିରିଜ ଜିତିପାରିନଥିବାରୁ ଏଥର ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।
