ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଉପରେ ହାଇକୋର୍ଟଙ୍କ ଜବାବ ତଲବ
କଟକ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୋନପୁର ଓ ଖୋର୍ଦ୍ଧା ଜିଲା ସଂରକ୍ଷଣ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଜବାବ ତଲବ କରିଛନ୍ତି । କୋର୍ଟ ଶୁଣାଣି କରି ସୋନପୁର ଓ ଖୋର୍ଦ୍ଧା ଜିଲାପାଳଙ୍କୁ ଆସନ୍ତା ସୋମବାର ସୁଦ୍ଧା ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲାର କୈାଣସି ସରପଂଚ ପଦ ଜନଜାତି ଲାଗି ସଂରକ୍ଷିତ ନଥିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ୨୩ଟି ଜିଲାରେ କୈାଣସି ସରପଂଚ ପଦବୀ ଅନୁସୂଚୀତ ଜାତିଙ୍କ ପାଇଁ ସଂରକ୍ଷିତ ନାହିଁ । ତେବେ ଏହି ପ୍ରସଙ୍ଗରେ ସୋମବାର ସୁଦ୍ଧା ଜବାବ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ।
ସୋନପୁର ଜିଲାରେ ୧୦୯ଟି ସରପଞ୍ଚ ପଦବୀ ଅଛି । ସୋନପୁର ଜିଲାର ବଳଭଦ୍ର କୁଅଁରଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ସେହିପରି ଖୋର୍ଦ୍ଧା ଜିଲାର ୧୯୦ଟି ସରପଞ୍ଚ ପଦବୀ । ଖୋର୍ଦ୍ଧା ଜିଲା ପାଇଁ ଟୁକୁ ମାଝି ଓ ଅନ୍ୟ ୫ ଜଣଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ରାଜ୍ୟରେ ୬୭୯୪ ସରପଞ୍ଚ, ୩୧୪ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ରହିଛି । ଆଇନ ଅନୁଯାୟୀ ଅନୁସୂଚୀତ ଜନଜାତି ୧୫୪୯ ସରପଂଚ ପଦବୀ ପାଇବା କଥା । ୭ଟି ସିଡୁଲ ଏରିଆ ଜିଲ୍ଲାରେ ୨୦୯୭ ସରପଂଚ ପଦବୀ । ଏହି ସମସ୍ତ ସଂରକ୍ଷିତ ରହିଛି ଅନୁସୂଚୀତ ଜନଜାତିଙ୍କ ପାଇଁ । ପଞ୍ଚାୟତ ଏକ୍ସଟେନସନ ସିଡୁଲ୍ଡ ଏରିଆ ଆକ୍ଟ ୧୯୯୬ ଅନୁଯାୟୀରେ ଏହି ୭ଟି ଜିଲ୍ଲାରେ ସଂରକ୍ଷିତ ରଖାଯାଇଛି । କିନ୍ତୁ ଅନ୍ୟ ୨୩ଟି ଜିଲ୍ଲାରେ ଗୋଟିଏ ବି ସରପଂଚ ପଦବୀ ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ ନାହିଁ । ତେବେ ଏହାକୁ ଚାଲେଞ୍ଜ କରାଯାଇ ହାଇକୋର୍ଟରେ ମାମଲା ଦାୟର କରାଯାଇଛି ।
