ଆଇସିସି ଟେଷ୍ଟ ମାନ୍ୟତା : ଉଠିଲେ ରାହୁଲ, ଖସିଲେ କୋହଲି
ନୂଆଦିଲ୍ଲୀ : ସେଂଚୁରିଆନ ଟେଷ୍ଟରେ ଶତକ ଅର୍ଜନ କରିଥିବା କେଏଲ ରାହୁଲଙ୍କୁ ଆଇସିସି ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଜବରଦସ୍ତ ଫାଇଦା ମିଳିଛି । ରାହୁଲ ୧୮ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ପହଂଚିଛନ୍ତି । ରାହୁଲଙ୍କ ଶତକ ବଳରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ହରାଇଥିଲା ।
ଆଇସିସି ମାନ୍ୟତାରେ ରାହୁଲଙ୍କ ସର୍ବଶ୍ରେଷ୍ଠ ମାନ୍ୟତା ୮ ରହିଛି । ସେ ୨୦୧୭ରେ ଏହି ମାନ୍ୟତା ହାସଲ କରିଥିଲେ । ସାଥୀ ଖେଳାଳି ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ୨ଟି ସ୍ଥାନ ଫାଇଦା ମିଳିଛି । ବର୍ତମାନ ସେ ମାନ୍ୟତାର ୨୫ତମ ସ୍ଥାନରେ ପହଂଚି ଯାଇଛନ୍ତି ।
ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମାର୍ନସ ଲାବୁସେନ ପୂର୍ବବତ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମାନ୍ୟତାରେ କ୍ଷତି ସହିବାକୁ ପଡିଛି । ସେ ୨ଟି ସ୍ଥାନ ତଳକୁ ଖସି ନବମ ସ୍ଥାନରେ ରହିଛନ୍ତି । ବୋଲିଂରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ମାନ୍ୟତାରେ ଫାଇଦା ମିଳିଛି । ପ୍ରଥମ ଟେଷ୍ଟରେ ପାଂଚ ୱିକେଟ୍ ନେଇଥିବା ବୁମରା ୩ଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ପହଂଚିଛନ୍ତି । ମହମ୍ମଦ ଶାମି ସେଂଚୁରିଆନ ଟେଷ୍ଟରେ ୮ ୱିକେଟ୍ ନେଇଛନ୍ତି । ଏଥିରେ ପ୍ରଥମ ଇନିଂସରେ ୫ ୱିକେଟ୍ ସାମିଲ୍ । ସେ ଦୁଇଟି ସ୍ଥାନ ଉନ୍ନତି ଘଟାଇ ୧୭ମ ସ୍ଥାନରେ ପହଂଚି ଯାଇଛନ୍ତି । ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଦକ୍ଷିଣ ଆଫ୍ରିକାର ଓପନିଂ ବ୍ୟାଟସମ୍ୟାନ ତଥା ଅଧିନାୟକ ଡିନ୍ ଏଲଗର ସେଂଚୁରିଆନ ଟେଷ୍ଟର ଦ୍ୱିତୀୟ ଇନିଂସରେ ଖେଳିଥିବା ୭୭ ରନ ବଳରେ ୨ଟି ସ୍ଥାନ ଉପରକୁ ଉଠି ୧୪ମ ସ୍ଥାନରେ ପହଂଚିଛନ୍ତି । ତେମ୍ବା ବାମୁଭା ୫୨ ଏବଂ ୩୫ ରନର ଇନିଂସ ବଳରେ ୧୬ଟି ସ୍ଥାନ ଉନ୍ନତି ଘଟାଇ ୩୯ତମ ସ୍ଥାନରେ ପହଂଚିଛନ୍ତି ।
