ଦ୍ଵିତୀୟ ଟେଷ୍ଟ : ଟସ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି, ଐତିହାସିକ ଶୃଙ୍ଖଳା ବିଜୟ ସ୍ବପ୍ନରେ ଭାରତ
ଜୋହାନ୍ସବର୍ଗ : ଆଜି ଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟେଷ୍ଟ ଖେଳାଯିବ। ଜୋହାନ୍ସବର୍ଗର ୱଣ୍ଡରର୍ସ ପଡ଼ିଆରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଜୋହାନ୍ସବର୍ଗର ୱଣ୍ଡରର୍ସ ପଡ଼ିଆ ଭାରତ ପାଇଁ ଅନୁକୁଳ ଥିବାରୁ ବିରାଟ କୋହଲିଙ୍କ ଦଳ ଏଠାରେ ବିଜୟୀ ହୋଇ ଐତିହାସିକ ଶୃଙ୍ଖଳା ବିଜୟର ସ୍ବପ୍ନ ସାକାର କରିବ ବୋଲି ଆଶା ରଖିଛନ୍ତି। ପ୍ରଥମ ଟେଷ୍ଟ୍ ବିଜୟ ପରେ ଭ୍ରମଣକାରୀ ଦଳର ଆତ୍ମବିଶ୍ବାସ ମଧ୍ୟ ଉଚ୍ଚରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ୍ ହାରିଥିଲେ ମଧ୍ୟ ଘରୋଇ ପରିବେଶରେ ଖେଳି ଦ୍ଵିତୀୟ ଟେଷ୍ଟରେ ଭାରତର ବିଜୟରେ ରୋକ ଲଗାଇବାକୁ ଚେଷ୍ଟା କରିବ ।
୨୦୨୧ରେ ଭାରତ ଦୁଇଟି ଅଭେଦ୍ୟ ଦୁର୍ଗ (ଗାବା ଓ ସେଞ୍ଚୁରିଅନ୍) ଦଖଲ କରିଥିବାରୁ ଏବେ ବହୁ ପ୍ରତୀକ୍ଷିତ ଦକ୍ଷିଣ ଆଫ୍ରିକା ମାଟିରେ ଶୃଙ୍ଖଳା ବିଜୟର ସୁବର୍ଣ୍ଣ ସୁଯୋଗ ପାଇଛି। ୨୦୨୨ ମସିହାର ପ୍ରଥମ ଟେଷ୍ଟ୍ର ଭେନ୍ୟୁ ଜୋହାନ୍ସବର୍ଗର ୱଣ୍ଡରର୍ସରେ ଭାରତ କେବେ ବି ହାରିନାହିଁ। ୫ ଟେଷ୍ଟ୍ ଖେଳି ୨ ଜିତିବା ସହ ଅନ୍ୟ ୩ଟିକୁ ଅମୀଂମାଂସିତ ରଖିଛି। ଏହି ୩ଟି ଅମୀମାଂସିତରୁ ଗୋଟିକ (୧୯୯୭)ରେ ବର୍ଷା ଶେଷ ଦିନ ବାଧା ଆଣିନଥିଲେ ଭାରତ ବିଜୟୀ ହେବାର ସୁଯୋଗ ବି ଥିଲା। ୱଣ୍ଡରର୍ସରେ କେବଳ ଭାରତ ନୁହେଁ ଅନ୍ୟ ବିଦେଶୀ ଦଳ ମଧ୍ୟ ସଫଳ ହୋଇଛନ୍ତି। ୩୧ ଟେଷ୍ଟ୍ ଖେଳି ଘରୋଇ ଦଳ ୧୧ ହାରିଛି। ଅନ୍ୟ କୌଣସି ଘରୋଇ ପଡ଼ିଆରେ ଦକ୍ଷିଣ ଆଫ୍ରିକା ଏତେ ମ୍ୟାଚ୍ ହାରିନାହିଁ। ଗତ ୨୯ ବର୍ଷ ମଧ୍ୟରେ ଓ୍ଵାଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା କେବେ ବି ଭାରତକୁ ହରାଇ ପାରିନାହିଁ । ଅନ୍ୟପଟରେ ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଶୃଙ୍ଖଳା ଜିତି ପାରି ନାହିଁ । ଯଦି ଦ୍ଵିତୀୟ ଟେଷ୍ଟକୁ ଭାରତ ଜିତିଯାଏ, ତେବେ ଇତିହାସ ରଚିବାକୁ ସକ୍ଷମ ହେବ। ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକାରେ ପ୍ରଥମ ବିଜୟ ଓ୍ଵାଣ୍ଡରର୍ସ ଗ୍ରାଉଣ୍ଡରେ ହିଁ ମିଳିଥିଲା । ୨୦୦୬ରେ ସେଠାରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଘରୋଇ ଦଳକୁ ୧୨୩ ରନରେ ହରାଇଥିଲା । ଭାରତୀୟ ଦଳ ପ୍ରଥମ ପାଳିରେ ୨୪୯/୧୦ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୮୪ ରନରେ ଅଲ୍-ଆଉଟ୍ ହୋଇଯାଇଥିଲା । ଭାରତୀୟ ଦଳ ଦ୍ଵିତୀୟ ପାଳିରେ ୨୩୬/୧୦ ରନ୍ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୨୭୮ରେ ଅଲ୍-ଆଉଟ୍ ହୋଇଯିବାରୁ ଭାରତ ୧୨୩ ରନରେ ବିଜୟ ହାସଲ କରିଥିଲା । ଦକ୍ଷିଣ ଆଫ୍ରିକାରେ ଶେଷ ଟେଷ୍ଟ ମ୍ୟାଚ ଭାରତ ୨୪ ଜାନୁଆରୀ ୨୦୧୮ରେ ଜୋହନ୍ସବର୍ଗରେ ଖେଳିଥିଲା। ଭାରତ ଏହି ମ୍ୟାଚକୁ ୬୩ ରନରେ ଜିତିଥିଲା। ଜୋହନ୍ସବର୍ଗରେ ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ୧୯୯୨,୧୯୯୭ ଓ ୨୦୧୩ରେ ଖେଳିଥିବା ମ୍ୟାଚଗୁଡ଼ିକ ଡ୍ର’ ରହିଥିଲା। ଭାରତୀୟ ଦଳ ପାଇଁ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ଗ୍ରାଉଣ୍ଡ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇ ଆସିଛି। ଏହି ଅବସରରେ ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି ଯେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ଵିତୀୟ ଟେଷ୍ଟକୁ ଜିତି ଇତିହାସ ରଚିବାକୁ ସକ୍ଷମ ହେବ।
ସେଞ୍ଚୁରିଅନ୍ରେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଟସ୍ ଜିତିଥିଲେ ବିରାଟ କୋହଲି। ଏଥିପାଇଁ ଦଳ ପ୍ରଥମେ ବ୍ୟାଟିଂ କରିବାର ଫାଇଦା ମଧ୍ୟ ପାଇଥିଲା। ପ୍ରଥମ ଅଧିବେସନରେ ଦକ୍ଷିଣ ଆଫ୍ରିକା ବୋଲିଂ ମଧ୍ୟ ସାଧାରଣ ଥିଲା। ଟସ୍ ଭାଗ୍ୟ ଭାରତ ସପକ୍ଷରେ ନ ରହିଲେ ଦ୍ବିତୀୟ ଟେଷ୍ଟ୍ରେ ଭାରତ ଯେ ପ୍ରାଧାନ୍ୟ ବିସ୍ତାର କରିବ ଏଥିରେ କିଛି ଗ୍ୟାରେଣ୍ଟି ନାହିଁ। ଦୁଇ ଦଳ ମଧ୍ୟରେ ସବୁଠାରୁ ବଡ଼ ଫରକ ଥିଲା ଦକ୍ଷିଣ ଆଫ୍ରିକା ପରିବେଶ, ଯାହାକି ଗତ ସପ୍ତାହ ଭଳି ପ୍ରଭାବ ନପକାଇପାରେ। କିନ୍ତୁ ପାଗ କ୍ରିକେଟ୍ ପାଇଁ ଅନୁକୁଳ ନାହିଁ। ୫ ଦିନ ମଧ୍ୟରୁ ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି। କ୍ବିଣ୍ଟନ୍ ଡି’କକ୍ଙ୍କ ଅପ୍ରତ୍ୟାଶିତ ଅବସର ଦକ୍ଷିଣ ଆଫ୍ରିକାର ଅଭିଜ୍ଞତାକୁ କମ୍ କରିଥିଲେ ମଧ୍ୟ ଦ୍ରୁତ ବୋଲର ଡୁଆନ୍ ଓଲିଭର୍ଙ୍କୁ ସାମିଲ କରାଯିବା ଘରୋଇ ଦଳକୁ ଅଧିକ ଦୃଢ଼ କରିଛି। ଓଲିଭର୍ ୱଣ୍ଡରର୍ସରେ ବିଗତ ୩ ପ୍ରଥମ ଶ୍ରେଣୀ ମ୍ୟାଚ୍ରୁ ୧୧.୨୫ ହାରରେ ମୋଟ ୨୪ ୱିକେଟ୍ ନେଇ ପ୍ରଭାବ ଛାଡ଼ିଥିଲେ। ଓଲିଭରଙ୍କ ବଦଳରେ ୱିଆନ୍ ମଲ୍ଡର ଓ ମାର୍କୋ ଜାନସେନ୍ଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ। କ୍ବିଣ୍ଟନ୍ ଡି’କକ୍ଙ୍କ ସ୍ଥାନରେ କାଇଲ୍ ଭେରିନ୍ ୱିକେଟରକ୍ଷଣ ଦାୟିତ୍ବରେ ରହିବେ। ଭାରତ ପାଇଁ କିନ୍ତୁ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେଙ୍କୁ ରନ୍ ସଂଗ୍ରହରେ ନିଜକୁ ସାମିଲ କରିବାକୁ ହେବ। ସେଞ୍ଚୁରିଅନ୍ରେ ପୂଜାରା ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। କୋହଲି ଓ ରାହାଣେ ଭଲ ଖେଳିଥିଲେ ମଧ୍ୟ ଲମ୍ବା ସମୟ ବ୍ୟାଟିଂ କରିପାରିନଥିଲେ। ଏପରିକି ଆତ୍ମବିଶ୍ବାସ ପାଇଁ ଆବଶ୍ୟକ ଅର୍ଦ୍ଧଶତକଟିଏ ହାସଲ କରିପାରିନଥିଲେ। ତିନି ଜଣଙ୍କ ମଧ୍ୟରେ ସର୍ବାଧିକ ୪୮ ରନ୍ ରାହାଣେ କରିଥିଲେ। ଭାରତୀୟ ଦଳ ବିଜୟୀ ସମନ୍ବୟ ଏକାଦଶକୁ ଭାଙ୍ଗିବା ସପକ୍ଷରେ ନଥିଲେ ମଧ୍ୟ ଶାର୍ଦୁଳ ଠାକୁରଙ୍କଠାରୁ ବୋଲିଂରେ ଆଶାଜନକ ସଫଳତା ମିଳିନଥିବାରୁ ତାଙ୍କ ବଦଳରେ ଉମେଶ ଯାଦବଙ୍କ ନାମ ବିଚାର କରାଯାଉଛି। କିନ୍ତୁ ଠାକୁରଙ୍କ ବ୍ୟାଟିଂ ଦକ୍ଷତା ଏବଂ ଭାଗୀଦାରି ଭାଙ୍ଗିବା କ୍ଷମତା ତାଙ୍କୁ ଦଳରେ ସୁରକ୍ଷିତ ରଖିପାରେ। ଅଶ୍ବିନ୍ ଏହି ଟେଷ୍ଟ୍ରେ ଆଉ ୬ ୱିକେଟ୍ ନେଇପାରିଲେ କପିଳ ଦେବ (୪୩୪)ଙ୍କୁ ଅତିକ୍ରମ କରି ଅନିଲ କୁମ୍ବଲେ (୬୧୯)ଙ୍କ ପଛକୁ ଦ୍ବିତୀୟ ଅଗ୍ରଣୀ ଭାରତୀୟ ବୋଲର୍ ହେବେ। ଭାରତୀୟ ବୋଲିଂ ବାହିନୀ ୨୦ ୱିକେଟ୍ ନେବାକୁ ସକ୍ଷମ ଥିଲେ ମଧ୍ୟ ଦଳର ମଧ୍ୟକ୍ରମ ବ୍ୟାଟିଂ ଏବେ ବି ଚିନ୍ତାର କାରଣ ରହିଛି। କୋହଲିଙ୍କ ଶତକ ମରୁଡ଼ି ନୂଆ ବର୍ଷରେ ଶେଷ ହୋଇଯିବ ବୋଲି ପ୍ରଶଂସକମାନେ ମଧ୍ୟ ଆଶା ରଖିଛନ୍ତି।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: ଡିନ୍ ଏଲଗାର (ଅଧିନାୟକ), ଏଦୈନ ମର୍କରାମ, କିଗାନ୍ ପିଟରସନ୍, ରାଶି ଭାନ୍ ଡେର୍ ଦସେନ୍, ତେମ୍ବା ବଭୂମା, କାଇଲ୍ ଭେରିନ୍ (ୱିକେଟରକ୍ଷକ), ୱିଆନ୍ ମଲ୍ଡର/ମାର୍କୋ ଜାନ୍େସନ୍, କାଗିସୋ ରବାଦା, କେଶବ ମହାରାଜ, ଡୁଆନ୍ ଓଲିଭର, ଲୁଙ୍ଗି ଏନ୍ଗିଡି।
ଭାରତ ସମ୍ଭାବ୍ୟ ଏକାଦଶ: କେଏଲ୍ ରାହୁଲ୍, ମୟଙ୍କ ଅଗ୍ରୱାଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍ (ୱିକେଟରକ୍ଷକ), ଆର୍ ଅଶ୍ବିନ୍, ଶାର୍ଦୁଳ ଠାକୁର/ଉମେଶ ଯାଦବ, ମହମ୍ମଦ ସାମି, ଯଶପ୍ରୀତ୍ ବୁମରା, ମହମ୍ମଦ ସାମି।
