ପିଏମ୍ କିଷାନ ଯୋଜନାରେ ଦଶମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି (ପି.ଏମ୍-କିଷାନ) ଯୋଜନା ଅଧୀନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଦଶମ କିସ୍ତି ପ୍ରଦାନ କରିଛନ୍ତି । ଏହାଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀ ଚାଷୀ ପରିବାରଙ୍କୁ ୨୦ହଜାର କୋଟି ଟଙ୍କାର ଆର୍ôଥକ ସହାୟତା ପହଂଚିବ । ଏହା ସହ ପ୍ରଧାନମନ୍ତ୍ରୀ ୩୫୧ଟି କୃଷକ ଉତ୍ପାଦନ ସଂଗଠନ (ଏଫପିଓ)କୁ ୧୪କୋଟି ଟଙ୍କାର ଅଂଶଧନ ବାବଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ । ଏଥିଯୋଗୁଁ ୧.୨୪ ଲକ୍ଷ କୃଷକ ଉପକୃତ ହେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ସଂଗଠନମାନଙ୍କ ସହ ମତ ବିନିମୟ କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ, କେତେକ ରାଜ୍ୟର କୃଷିମନ୍ତ୍ରୀ ଓ କୃଷକମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ସହ ଯୋଡି ହୋଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ଯେତେବେଳେ ନୂଆବର୍ଷରେ ପଦାର୍ପଣ କରିଛୁ । ଆମେ ବିଗତବର୍ଷର ସଫଳତାରୁ ଉତ୍ସାହ ପାଇଁ ନୂତନବର୍ଷରେ ଯାତ୍ରା ଆରମ୍ଭ କରିବା । ପ୍ରଧାନମନ୍ତ୍ରୀ ଦେଶର ବୈଶ୍ୱିକ ମହାମାରୀ କିପରି ମୁକାବିଲା କରିଛି ତାହାର ସ୍ମୃତିଚାରଣ କରି କିପରି ଟିକାକରଣ ହେବା ସହ ସମାଜରେ ବଂଚିତ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା କରାଯାଇଥିଲା ତା’ର ବର୍ଣ୍ଣନା କରିଥିଲେ । ସେମାନଙ୍କ ପାଇଁ ଦେଶ ୨ଲକ୍ଷ ୬୦ହଜାର କୋଟି ଟଙ୍କା ଖର୍ଚ୍ଚ କରି ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ସରକାର ଦେଶର ସ୍ୱାସ୍ଥ୍ୟ ଭିତିଭୂମି ସୁଦୃଢ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି । ନୂତନ ଅମ୍ଳଜାନ କାରଖାନା, ନୂତନ ମେଡିକାଲ କଲେଜ, ସୁଧାର କେନ୍ଦ୍ର, ଆୟୁଷ୍ମାନ ଭାରତ, ସ୍ୱାସ୍ଥ୍ୟ ଭିତିଭୂମି ଅଭିଯାନ ଓ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନ ଜରିଆରେ ମେଡିକାଲି ଭିତିଭୂମିର ପୁନର୍ଗଠନ କରାଯାଉଛି ବୋଲି କହିଥିଲେ । ଅର୍ଥନୀତି ଉପରେ ସେ କହିଥିଲେ ଯେ ଅନେକ କ୍ଷେତ୍ରରେ ଭାରତୀୟ ଅର୍ଥନୀତି କୋଭିଡ ପୂର୍ବ ଅବସ୍ଥାରୁ ଭଲ ଦେଖାଯାଉଛି । ସେ କହିଥିଲେ ଯେ “ଆଜି ଦେଶର ଅଭିବୃଦ୍ଧି ହାର ଶତକଡା ଆଠଭାଗ ହୋଇଛି । ରେକର୍ଡ ପରିମାଣ ବିଦେଶୀ ପୁଞ୍ଜିନିବେଶ ହୋଇଛି । ଆମର ବୈଦେଶିକ ମୁଦ୍ରା ସଂଚୟ ରେକର୍ଡ ପରିମାଣରେ ପହଂଚିଛି । ଜିଏସଟି ସଂଗ୍ରହରେ ମଧ୍ୟ ପୁରୁଣା ରେକର୍ଡ ଭଙ୍ଗ ହୋଇଛି । ରପ୍ତାନୀ ବିଶେଷକରି କୃଷି କ୍ଷେତ୍ରରେ ନୂତନ ରେକର୍ଡ ସୃଷ୍ଟି ହୋଇଛି ।” ୟୁପିଆଇ୨୦୨୧ରେ ୭୦ ଲକ୍ଷ କୋଟିର ଦେଣନେଣ ହୋଇଛି । ଦେଶରେ ୫୦ହଜାରରୁ ଅଧିକ ଷ୍ଟାର୍ଟଅପ କାର୍ଯ୍ୟ କରୁଥିବାବେଳେ, ଗତ ଛଅମାସରେ ଦଶହଜାର ଷ୍ଟାର୍ଟଅଫ କାର୍ଯ୍ୟକାରୀ ହୋଇଛି । ବିଗତବର୍ଷରେ କୃଷି କ୍ଷେତ୍ରରେ ହୋଇଥିବା ସଫଳତା ଉପରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଖାଦ୍ୟଶସ୍ୟ ଉତ୍ପାଦନ ୩୦୦ ନିୟୁତ ଟନରେ ପହଂଚିଛି ।
