ଆଜି ଜିଏସ୍ଟି ପରିଷଦର ୪୬ତମ ବୈଠକ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ଜିଏସ୍ଟି ପରିଷଦର ୪୬ତମ ବୈଠକ ଅନୁଷ୍ଠିତ ହେବ। ପରିଷଦର ବିଭିନ୍ନ ଏଜେଣ୍ଡା ଅତିରିକ୍ତ ରାଜ୍ୟର ଅର୍ଥମନ୍ତ୍ରୀମାନଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି। ମନ୍ତ୍ରୀସ୍ତରୀୟ କମିଟି (ଜିଓଏମ୍) ନିଜର ରିପୋର୍ଟ ପରିଷଦକୁ ପ୍ରଦାନ କରିବ।
ସୂଚନା ଯେ, ଫିଟ୍ମେଣ୍ଟ୍ କମିଟି ବ୍ୟତୀତ ଦେଶର ବିଭିନ୍ ଆୟକର ଅଧିକାରୀମାନେ ଜିଏସ୍ଟି ସ୍ଲାବ୍କୁ ନେଇ ଆବଶ୍ୟକୀୟ ପରାମର୍ଶ ମଧ୍ୟ ଦେଇଛନ୍ତି ସମ୍ପ୍ରତି ଜିଏସ୍ଟିରେ ୪ଟି ୫, ୧୨, ୧୮, ଓ ୨୮%ର ସ୍ଲାବ୍ ରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକୁ ଜିଏସ୍ଟିମୁକ୍ତ କିମ୍ବା ନିମ୍ନ ସ୍ଲାବ୍ରେ ରଖାଯାଇଛି। ଅପରପକ୍ଷରେ ବିଳାସ ସାମଗ୍ରଗୁଡ଼ିକୁ ଅଧିକ ସ୍ଲାବ୍ରେ ରଖାଯାଇଛି। ବିଭିନ୍ନ ମହଲରୁ ୧୨ ଓ ୧୮% ସ୍ଲାବ୍କୁ ମିଶ୍ରଣ କରିବା ପାଇଁ ଦାବି କରାଯାଉଛି। ଅପରପକ୍ଷରେ ନିକଟରେ ଜୋତା ଉପରେ ଜିଏସ୍ଟି ହାର ବୃଦ୍ଧି କରିବା ଯୋଗୁଁ ଏହି ସେକ୍ଟର ପ୍ରଭାବିତ ହେବା ସହିତ ନିୟୋଜି ଲକ୍ଷ ଲକ୍ଷ କର୍ମଚାରୀଙ୍କ ଜୀବିକା ସଙ୍କଟାପନ୍ନ ହେବ ବୋଲି ପଶ୍ଚିମବଙ୍ଗର ପୂର୍ବତନ ଅର୍ଥମନ୍ତ୍ରୀ ଅମିତ ମିତ୍ରା କହିଛନ୍ତି। ଏହାବ୍ୟତୀତ ତେଲେଙ୍ଗାନା ଶିଳ୍ପମନ୍ତ୍ରୀ ମଧ୍ୟ ଜିଏସ୍ଟି ହାର ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି।
