ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟର ଏନ୍ଏସ୍ଏସ୍ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ ହୋଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ରଣା ସଭାପତିତ୍ୱ କରି ସମାଜସେବା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଛାତ୍ରୀଛାତ୍ରଙ୍କୁ ପ୍ରେରଣା ଦେଇଥିଲେ ।
ମୁଖ୍ୟଅତିଥି ଭାବେ ଫକୀରମୋହନ ସାହିତ୍ୟ ପରିଷଦର ପୂର୍ବତନ ସଭାପତି ଡ. ଶିରିଶ ଚନ୍ଦ୍ର ଜେନା ଯୋଗଦେଇ ରାଷ୍ଟ୍ରର ପୂର୍ଣ୍ଣ ଗଠନରେ ଛାତ୍ରୀଛାତ୍ରଙ୍କର ସନ୍ତୁଳିତ ସାମାଜିକ ଜୀବନ ସହିତ ସେବା ମନୋବୃତ୍ତି ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଡା. ଶାନ୍ତନୁ ଦାସ ଯୋଗଦେଇ ଶୃଙ୍ଖଳିତ ଜୀବନ ଚର୍ଯ୍ୟାରେ ଛାତ୍ରୀଛାତ୍ର ମାନବିକ ମୂଲ୍ୟବୋଧର ବିକାଶ ସହିତ ସମାଜସେବାରେ ସଠିକ୍ ଭାବେ ଆଗଭର ହେବା ପାଇଁ ଉଦ୍ବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଆଜିମାବାଦ ୟୁଜିଏମ୍ଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ପାତ୍ର ସେବା ହିଁ ଜୀନ, ମାନବ ସେବାରେ ନିମଗ୍ନ ରହିଲେ ମନୁଷ୍ୟ ଜୀବନ ଚରିତାର୍ଥ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିଲେ । ପ୍ରଶାସନିକ ଅଧିକାରୀ ଡ. ସନ୍ତୋଷ କୁମାର ରାଉତ ଏନ୍ଏସ୍ଏସ୍ ଅଫିସର ସୁଲୋଚନା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହକାରୀ ଏନ୍ଏସ୍ଏସ୍ ଅଫିସର ରାଜେଶ ଦେ ମଞ୍ଚ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଅଞ୍ଜନା ବେହେରା ଧନ୍ୟବାଦ ଦେଇଥିଲେ । ଶେଷରେ ବିଭିନ୍ନ ଜିଲାସ୍ତରୀୟ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।
