ଏସୀୟ ଚାମ୍ପିଅନ୍ସ ଟ୍ରଫି : ପାକିସ୍ତାନକୁ ୪-୩ରେ ହରାଇ ଭାରତ ଜିତିଲା ବ୍ରୋଞ୍ଜ
ଢାକା : ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତୀୟ ହକି ଦଳ ବୁଧବାର ଏସୀୟ ଚାମ୍ପିଅନଶିପ ଟ୍ରଫିରେ କାଂସ୍ୟ ପଦକ ଜିତିଛି । ଦୁଇ ଦଳ ମଧ୍ୟରେ ହୋଇଥିବା ରୋମାଂଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତ ପାକିସ୍ତାନକୁ ୪-୩ ଗୋଲ୍ରେ ମାତ୍ ଦେଇଛି । ଗତ ଥର ଚାମ୍ପିଅନ ହୋଇଥିବା ଭାରତ ସେମି ଫାଇନାଲରେ ଜାପାନ ହାତରୁ ପରାଜିତ ହୋଇଥିାଲ । ମାତ୍ର କାଂସ୍ୟ ପଦକ ମୁକାବିଲାରେ ଭାରତ ଚିତାକର୍ଷକ ପ୍ରଦର୍ଶନ କରିଛି ।
ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଦମଦାର ପ୍ରଦର୍ଶନ କରିଥିଲା । କିଛି ମିନିଟ୍ରେ ଭାରତକୁ ତିନୋଟି ପେନାଲ୍ଟି କର୍ଣ୍ଣର ମିଳିଥିଲା । ତୃତୀୟ ସୁଯୋଗରେ ଭାରତ ପକ୍ଷରୁ ଅମଜଦ ଅଲ୍ଲୀ ଗୋଲ୍ ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ପାକିସ୍ତାନ ମଧ୍ୟ ପ୍ରଥମ କ୍ୱାର୍ଟରରେ ଆକ୍ରମଣାତ୍ମକ ଖେଳ ଖେଳି ମ୍ୟାଚ୍କୁ ୧-୧ ବରାବର ସ୍ଥିତିକୁ ଆଣିଥିଲା । ଦ୍ୱିତୀୟ କ୍ୱାର୍ଟରରେ ପାକିସ୍ତାନ ଗୋଲ ଦେବାକୁ ଜୋରଦାର ଉଦ୍ୟମ କରିଥିଲା । ଏହି ସମୟରେ ପାକିସ୍ତାନ ଅନେକ ଥର ରେଫରେଲ କରିଥିଲେ ମଧ୍ୟ ଏହାର ଫାଇଦା ଭାରତକୁ ମିଳିଥିଲା । ରିଭ୍ୟୁ ପାଇଁ ପାକିସ୍ତାନୀ ଖେଳାଳିଙ୍କ ରେଫରୀଙ୍କ ସହ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ତେବେ ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ସ୍କୋର ୧-୧ରେ ବରାବର ରହିଥିଲା । ତୃତୀୟ କ୍ୱାର୍ଟର ଆରମ୍ଭରୁ ପାକିସ୍ତାନ ଆକ୍ରମଣାତ୍ମକ ଖେଳ ଖେଳିଥିଲା । ପାକିସ୍ତାନର ଅବଦୁଲ ରାଣା ସହଜରେ ଗୋଲ୍ ଦେଇ ଦଳକୁ ୨-୧ରେ ଅଗ୍ରଣୀ କରାଇଥିଲେ । ତୃତୀୟ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଭାରତ ମ୍ୟାଚ୍ରେ ଜବରଦସ୍ତ ପ୍ରତ୍ୟାବର୍ତନ କରିଥିଲା । ସୁମିତ ସମୟ ସରିବା ପୂର୍ବରୁ ଗୋଲ୍ ଦେଇ ଭାରତକୁ ମ୍ୟାଚ୍ରେ ପ୍ରତ୍ୟାବର୍ତନ କରାଇଥିଲେ । ତୃତୀୟ କ୍ୱାର୍ଟର ସୁଦ୍ଧା ଖେଳ ୨-୨ରେ ସମାନ ସ୍ଥିତିରେ ରହିଥିଲା । ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିଲା । ହରମନପ୍ରୀତ ଏହି କ୍ୱାର୍ଟରରେ ପେନାଲ୍ଟୀ କର୍ଣ୍ଣରରୁ ଦମଦାର ଗୋଲ୍ ଦେଇଥିଲେ । ଏହାର କିଛି ମିନିଟ୍ ପରେ ଆକାଶଦୀପ ସିଂହ ଦମଦାର ଗୋଲ୍ ଦେଇଥିଲେ । ଏଥିସହ ଭାରତ ମ୍ୟାଚ୍ରେ ୪-୨ରେ ଅଗ୍ରଣୀ ହାସଲ କରିଥିଲା । କିନ୍ତୁ ପାକିସ୍ତାନ ପ୍ରତ୍ୟାବର୍ତନ ଉଦ୍ୟମରେ ତୃତୀୟ ଗୋଲ୍ ଦେଇଥିଲା । ତେବେ ଭାରତ ଶେଷରେ ମ୍ୟାଚ୍କୁ ୪-୩ରେ ଜିତି ନେଇଥିଲା ।
