ଓଡ଼ିଶା ପରିବେଶ କଂଗ୍ରେସ-୨୦୨୧ : କର୍ମଶାଳାରେ ୧୧ ଶିଳ୍ପୀ ଆଙ୍କିଲେ ‘ପରିବେଶ ଓ ମହାମାରୀ ଆଧାରିତ ଚିତ୍ର’
ବାଲେଶ୍ୱର : ଫକୀରମୋହନ ବିଶ୍ବବିଦ୍ୟାଳୟରେ ଆୟୋଜିତ ଗତ ତା ୧୮ ଓ ୧୯ ରିଖ ଦୁଇଦିନିଆ ଓଡ଼ିଶା ପରିବେଶ କଂଗ୍ରେସ ୨୦୨୧ ଅଧିବେଶନରେ ୧୧ଜଣ ଯୁବ ଚିତ୍ରଶିଳ୍ପୀଙ୍କୁ ନେଇ ପରିବେଶ ଓ ମହାମାରୀ ଆଧାରିତ ଏକ ଚିତ୍ର କର୍ମଶାଳା ଓ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି କର୍ମଶାଳାକୁ ମୁଖ୍ୟଅତିଥି ସୋଆ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର କ୍ୟାନଭାସରେ ‘ॐ’ ଚିତ୍ରିତ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ. ଅରବିନ୍ଦ ବେହେରା, କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ପରିବେଶ କଂଗ୍ରେସର ସାଙ୍ଗଠନିକ ସଂପାଦକ ସୁଦର୍ଶନ ଦାସ, କୁଳସଚିବ କୁକୁମୀନା ଦାସ, ପିଜି କାଉନସିଲର ଅଧ୍ୟକ୍ଷ ଡ. ମୁନେଶ ଚନ୍ଦ୍ର ଅଧିକାରୀ, ଏଚ ଡି ଏଫ୍ ର ନିର୍ଦ୍ଦେଶକ ଡ. ବି. ବି. ସାମନ୍ତ, ଓଡ଼ିଶା ପରିବେଶ ସମିତିର ସଂପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ, ଭୃଗୁବକ୍ସୀ ପାତ୍ର, କୋର୍ଡିନେଟର ଡ. ରନୀନ୍ଦ୍ର କୁମାର ନାୟକ, ଡ. ଦେବାଷିଶ ପାତ୍ର ପ୍ରମୁଖ ଉକ୍ତ କ୍ୟାନଭାସରେ ଚିତ୍ର ଓ ଦସ୍ତଖତ ମାରିଥିଲେ।
ଶିଳ୍ପୀ କେଶୁଦାସଙ୍କ ପରିଚାଳିତ ଏହି କର୍ମଶାଳାରେ ଚିତ୍ରଶିଳ୍ପୀ ବ୍ରଜ ଷଢ଼ଙ୍ଗୀ, ପ୍ରତାପ ସିଂହ, ମରୁତ ରାଉତ, କଲ୍ୟାଣ ବାରିକ, ମୁକ୍ତିପଦ ନନ୍ଦୀ, ଫିର୍ଦୋସୀ ତବାସୁମ୍, ଜିତେନ୍ଦ୍ର ଭଞ୍ଜ, ଦେବାଶିଷ ପତି, ଅରୁଣ ବାରିକ ଓ ରୂପକ ଦାସ ଯୋଗଦେଇ ପରିବେଶ ଓ ମହାମାରୀକୁ ନେଇ ସୁନ୍ଦର କଳାତ୍ମକ ତଥା ସଚେତନତା ମୂଳକ ପେଣ୍ଟିଂ ସବୁ କରିଥିଲେ । ବ୍ରଜ ଷଢ଼ଙ୍ଗୀ ଟାଙ୍ଗରା ଭୂଇଁରେ ବୃକ୍ଷ ରୋପଣ ଆବଶ୍ୟକତାକୁ ଗୁରୁତ୍ୱ ଦେବାର ଚିତ୍ରିତ କରିଥିଲେ । ସେହିପରି ମହାମାରୀ କୋରନା କାଳରେ ବିରଳ ନୀଳରକ୍ତ କଙ୍କଡ଼ାର ଭୂମିକାକୁ ଚିତ୍ରଣ କରିଥିଲେ । ମହାମାରୀରେ ଅମ୍ଳଜାନ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଜିତେନ୍ଦ୍ର ଭଞ୍ଜ ଆଧୁନିକ ଶୈଳୀରେ ଉପସ୍ଥାପନା କରିଥିବା ବେଳେ ଫିର୍ଦୋସୀ ତବାସୁମ୍ ପରିବେଶ ଓ ମହାମାରୀକୁ ସରଳ ଓ ସାଙ୍କେତିକ ଭାବରେ ରଙ୍ଗତୂଳୀରେ ପ୍ରକାଶ କରିଥିଲେ ।
ମଣିଷ ହିଁ ନିଜେ ପରିବେଶ ଓ ମହାମାରୀ ପାଇଁ ଦାୟୀ ବୋଲି ମରୁତ ରାଉତ ଆଙ୍କି ଥିବାବେଳେ ମହାମାରୀ ଦ୍ଵାରା ଶାନ୍ତ ପରିବେଶକୁ ଅଶାନ୍ତ କରିଦିଏ ବୋଲି ପ୍ରତାପ ସିଂହ ଦେଖାଇ ଥିବାବେଳେ କଲ୍ୟାଣ ବାରିକ ପରିବେଶର ଅସମତାକୁ ଦେଖିଇଥିଲେ । ମୁକ୍ତିପଦ ନନ୍ଦୀ, ଦେବାଶିଷ ପତି, ଅରୁଣ ବାରିକ ଓ ରୂପକ ଦାସଙ୍କ ଅସନ୍ତୁଳନ ପରିବେଶର ଭୟାବହକୁ ପରିପ୍ରକାଶ କରିଥିଲେ । ନୀଳିମା ପ୍ରଧାନ ଓ ପୂଜା ମାଇତି ପ୍ରଦର୍ଶିତ ପରିବେଶ ଆଧାରିତ ଚିତ୍ର ସବୁ ଦର୍ଶକ ମନକୁ ଆକର୍ଷିତ କରିଥିଲା । ସହକାରୀ ଶିଳ୍ପୀ ଭାବରେ ଧନଞ୍ଜୟ ଧଳ, ପପୁନ ପ୍ରଧାନ, ଗୌତମ ନାୟକ, କନକଲତା ଦାସ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଶ୍ବବିଦ୍ୟାଳୟର କେତେକ ଛାତ୍ରଛାତ୍ରୀ ରଙ୍ଗତୂଳୀରେ ଆଙ୍କିଥିଲେ ପରିବେଶର କଥା । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ଅଙ୍କିତ ପରିବେଶ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶିତ ହୋଇ ଥିବାବେଳେ ନିରଞ୍ଜନ ଖୁଟିଆରେ ଅଦରକାରୀ କାଠ, ଡାଳ ଓ ଶୁଖିଲା ଲତାକୁ ନେଇ ସୁନ୍ଦର ଓ ସରଳ କାଠ କଳା ପ୍ରଦର୍ଶିତ କରି ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଅନ୍ତିମ ଦିନ ସନ୍ଧ୍ୟାରେ ଚିତ୍ରଶିଳ୍ପୀ ମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରିଥିଲେ ।




