‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡିର ଜନସାଧାରଣ ପାଇବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡାକ୍ତରୀଦଳକୁ ନେଇ ମାଲକାନଗିରିକୁ ପ୍ରଥମ ବିମାନ ଉଡାଣର ଶୁଭାରମ୍ଭ
ଭୁବନେଶ୍ୱର : ସେବା କ୍ଷେତ୍ରରେ ଆରମ୍ଭ ହେଲା ଆଉ ଏକ ନୂଆ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି।
ଏହି ଯୋଜନାରେ ଆଦିବାସୀବହୁଳ ୪ଟି ଜିଲା ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇପାରିବେ। ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍ ହସ୍ପିଟାଲର ଦକ୍ଷ ଓ ସ୍ବନାମଧନ୍ଯ ଡାକ୍ତରମାନେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଏହିସବୁ ଜିଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏହି ସେବାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଖୁସିବ୍ୟକ୍ତ କରିବା ସହିତ ଏହାଦ୍ବାରା ଏହି ୪ଟି ଜିଲ୍ଲାର ଗରିବ ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶାପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନଵ ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି କାର୍ତ୍ତିକ ପାଣ୍ଡିଆନ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଠାରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା’ ନାମରେ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଆଜି ମାଲକାନଗିରିକୁ ଏକ ଡାକ୍ତରୀ ଦଳକୁ ନେଇ ପ୍ରଥମ ବିମାନ ଉଡାଣ ଆରମ୍ଭ ହୋଇଛି। #SusthaOdisha #OdishaCares pic.twitter.com/b7hzD9ibwu
— I & PR Department, Odisha (@IPR_Odisha) December 20, 2021
ସୂଚନା ଯେ, ଗୁରୁତର ରୋଗୀଙ୍କ ପାଖରେ ଯଥାଶିଘ୍ର ସମସ୍ତ ସୁବିଧା ସହ ଉତମ ଡାକ୍ତର ପହଂଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରିବ । ରାଜ୍ୟର ଉପାନ୍ତ ଅଂଚଳର ଲୋକଙ୍କ ପାଖରେ ଯୋଗାଯୋଗ ସୁବିଧା ନଥିବାରୁ ପ୍ରଥମେ ଏହି ଅଂଚଳରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଂଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଂଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମୁକ୍ତି ମିଳିବ । ଗୁରୁତର ରୋଗୀଙ୍କ ନିକଟରେ ହେଲକପ୍ଟରରେ ପହଂଚିବେ ଡାକ୍ତରୀ ଦଳ । ଯଦି ଆବଶ୍ୟକ ପଡେ ତେବେ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟିଂ କରାଯାଇ ଅନ୍ୟ ମେଡିକାଲରେ ଭର୍ତି କରାଯିବ ।
