ଆଜି ଓଡ଼ିଶାର ସବୁଠାରୁ ଲମ୍ବା ‘ଟି’ ସେତୁର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
କଟକ : ମହାନଦୀରେ ଯୋଡ଼ି ହେଲା ଆଉ ଏକ ସମ୍ପର୍କର ସେତୁ। ଏହା ମହାନଦୀ ଉପରେ ଓଡ଼ିଶାର ସବୁଠାରୁ ଲମ୍ବା ସେତୁ ହେବ। ଏହି ସେତୁଟି ନିର୍ମାଣ ହେବା ଫଳରେ ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ଼-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୈାଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ। କଟକ ଜିଲା ବଡ଼ମ୍ବା ଓ ନରସିଂହପୁରରୁ ବାଙ୍କୀ ଓ ଖୋର୍ଦ୍ଧାକୁ ଆହୁରି ସୁଗମ ହେବ ଯାତାୟତ । ଆଜି ଉଦଘାଟିତ ହେବ ରାଜ୍ୟର ସବୁଠୁ ଦୀର୍ଘତମ ସେତୁ `ଟି ସେତୁ’ । ଉପକୃତ ହେବେ ଲକ୍ଷ ଲକ୍ଷ ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୧୪ ମସିହା ଫେବ୍ରୁଆରୀ ୨୮ ତାରିଖରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୧୩୧ କୋଟି ଟଙ୍କା ବ୍ୟୟରେ ଏହି ଦୀର୍ଘତମ ସେତୁର ନିର୍ମାଣ ଶେଷ ହୋଇଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ଏହାଦ୍ୱାରା କଟକ ଜିଲା ସମେତ ଖୋର୍ଦ୍ଧା ଜିଲାର ଜନସାଧାରଣ ଓ ଲକ୍ଷ ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ । ପ୍ରତିବର୍ଷ ବଡ଼ମ୍ବା ବ୍ଲକ ଗୋପୀନାଥପୁରରେ ବାବା ସିଂହନାଥଙ୍କ ପ୍ରସିଦ୍ଧ ବାଲି ମକର ଯାତ୍ରା ପାଇଁ ମହାନଦୀ ମଧ୍ୟରେ ୩ କିଲୋମିଟର ମାଟି ରାସ୍ତା ନିର୍ମାଣ ହେଉଥିଲା । ଏଥିପାଇଁ ୧୪ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ପରେ ବର୍ଷା ଦିନେ ଭାସି ଯାଉଥିଲା ମାଟି ରାସ୍ତା । ଏଣୁ ସେତୁ ନିର୍ମାଣ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ ଜନସାଧାରଣ । ଏବେ ଆଶା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।
