ଲକ୍ଷ୍ନୌ ଫ୍ରାଞ୍ଚାଇଜର ମେଣ୍ଟର ହେଲେ ଗମ୍ଭୀର
ଲକ୍ଷ୍ନୌ : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ନୂଆ ଦାୟିତ୍ବ । ଆଗାମୀ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗ୍ ରେ ନୂଆ ଅବତାରରେ ନଜର ଆସିବେ ଗମ୍ଭୀର । ନୂଆ ଫ୍ରାଞ୍ଚାଇଜ ଭାବେ ବିଶ୍ବର ବିଶ୍ବର ବିତ୍ତଶାଳୀ ଲିଗ୍ରେ ଏଣ୍ଟ୍ରୀ ମାରିଥିବା ଲକ୍ଷ୍ନୌ ଫ୍ରାଞ୍ଚାଇଜ ଗମ୍ଭୀରଙ୍କୁ ଶନିବାର ମେଣ୍ଟର ନିଯୁକ୍ତ କରିଛି ।
ଅନ୍ୟପଟେ ଜିମ୍ବାୱେ କ୍ୟାପଟେନ ତଥା ୱିକେଟ କିପର ଆଣ୍ଡି ଫ୍ଲାୱାର ଟିମର ମୁଖ୍ୟ କୋଚ୍ ଦାୟିତ୍ବ ତୁଲାଇବେ । ମେଣ୍ଟର ନିଯୁକ୍ତ ହେବାପରେ ଗମ୍ଭୀର ଡକ୍ଟର ଗୋୟେଙ୍କା ଓ ଆରପିଏସଜି ଗ୍ରୁପ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଗମ୍ଭୀର କହିଛନ୍ତି ଏବେବି ପ୍ରତିଯୋଗିତାର ବିଜେତା ହେବାର ନିଆଁ ନିଜ ଭିତରେ ଜଳୁଛି ।
ଇଣ୍ଡିଆନ ପ୍ରିମିୟର ଲିଗର ଲକ୍ଷ୍ନୌ ଫ୍ରାଞ୍ଚାଇଜ ପାଇଁ ନିଲାମ ଜିତିଥିଲା ଆରପିଏସଜି ଭେଞ୍ଚର୍ସ । ଅକ୍ଟୋବର ୨୫ରେ ଅନୁଷ୍ଠିତ ହୋଇଥିବା ନୂଆ ଦୁଇଟି ଟିମ ପାଇଁ ନିଲାମରେ ରେକର୍ଡ ୭,୦୯୦ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜର ମାଲିକାନା ଓ ପରିଚାଳନା ଅନୁମତି ହାସଲ କରିଥିଲା ଆରପିଏସଜି ଭେଞ୍ଚର୍ସ । ଏହା ବ୍ୟତୀତ ଇରେଲିଆ କମ୍ପାନୀ ପ୍ରାଇଭେଣ୍ଟ ଲିମିଟେଡ୍ ୫,୬୨୫ କୋଟି ଟଙ୍କାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପାଇଁ ନିଲାମ ଜିତିଥିଲେ ।
