ଉଦଯାପିତ ହେଲା ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୧
ଭୁବନେଶ୍ୱର : ଆଜି ଉଦଯାପିତ ହୋଇ ଯାଇଛି ଏଣ୍ଟରପ୍ରାଇଜ୍ ଓଡିଶା-୨୦୨୧ । ଗୋଟିଏ ସ୍ଥାନରେ ସବୁ ଛୋଟ ଓ ବଡ଼ ଉଦ୍ୟୋଗୀଙ୍କୁ ଏକାଠି କରିବା ଓ ରାଜ୍ୟରେ ଶିଳ୍ପ ପାଇଁ ଏକ ପ୍ରଗତୀଶୀଳ ବାତାବରଣ ସୃଷ୍ଟି କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଆରମ୍ଭ କରିଥିଲେ ଏଣ୍ଟରପ୍ରାଇଜ୍ ଓଡିଶା । ଯାହାର ୨୩ ତମ ସଂସ୍କରଣ ଆଜି ଶେଷ ହୋଇଛି । ଯାହା ଗତ ନଭେମ୍ବର ୧୭ରୁ ଆରମ୍ଭ ହୋଇଥିଲା ।
ସୂଚନାନୁସାରେ, ୱେଲ୍କମ୍ ହୋଟେଲ ପରିସରରେ ସିଆଇଆଇ (କନଫେଡ଼େରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି) ପକ୍ଷରୁ ଆୟୋଜିତ ୨୩ ତମ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା’କୁ ଭିଡ଼ିଓ କନଫରେନସିଂ ଜରିଆରେ ଗତ ମାସ ୧୭ ତାରିଖରେ ଉଦଘାଟିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ କୋଭିଡ଼୍ ଭଳି ପ୍ରତିକୂଳ ସମୟରେ ମଧ୍ୟ ସାରା ଦେଶରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ପୂର୍ବରୁ ମେକ୍ଇନ୍ ଓଡ଼ିଶା ଓ ଷ୍ଟାର୍ଟ ଅପ ଓଡ଼ିଶା ଭଳି ଅନେକ ସରକାରୀ ଉଦ୍ୟମ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ସଫଳ ହୋଇଛି। ଶିଳ୍ପ ଓ ଏମ୍ଏସ୍ଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଭିଡ଼ିଓ କନଫରେନସିଂ ଜରିଆରେ ଯୋଗଦେଇ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ପ୍ରସ୍ଥୁତି ସମ୍ବନ୍ଧରେ ସୂଚନା ଦେଇଥିଲେ। ‘ଲେସ୍ ଗଭର୍ଣ୍ଣମେଣ୍ଟ, ମୋର ଗଭର୍ଣ୍ଣାନ୍ସ’ ନ୍ୟାୟରେ କିଭଳି ସରକାର କାମ କରୁଛନ୍ତି, ଏମ୍ଏସ୍ଏମ୍ଇ କ୍ଷେତ୍ରରେ ବଜେଟ୍ କିଭଳି ବହୁଗୁଣିତ ହୋଇଛି ସେ ନେଇ ସୂଚନା ଦେଇଥିଲେ। ତେବେ ଉଦଯାପନି ଉତ୍ସବରେ ମଧ୍ୟ ଅନେକ ଅତିଥି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଉଦବୋଧନ ରଖିଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେସି ଲାଲ କହିଥିଲେ ଯେ, ସମସ୍ତ ପ୍ରାଇଭେଟ ଏଣ୍ଟରପ୍ରାଇଜର ଓଡିଶା ନିର୍ମାଣ ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ଅସିତ ତ୍ରିପାଠି କହିଥିଲେ ଯେ, ଓଡିଶା ଶିଳ୍ପ କ୍ଷେତ୍ରରେ ଅନେକ କାମ କରିଛି । ଗ୍ରୀନଫିଲଡ଼ ରୋଡ଼ ତିଆରି ଚାଲିଛି । ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେଉଛି । ସେହିପରି କାର୍ଯ୍ୟକ୍ରମରେ ଯୋଗଦେଇ ଆଇସି ସେକ୍ରେଟାରି ମନୋଜ ମିଶ୍ର କହିଥିଲେ ଯେ, ଆଇଟିରେ ଓଡିଶା ବହୁତ ଆଗେଇଛି । ବହୁତ ବିକାଶ ହୋଇଛି । ଆଗକୁ ଆହୁରି ବିକାଶ ହେବ ବୋଲି ସେ କହିଥିଲେ । ସେହିପରି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ବିଶିଷ୍ଟ ଉଦ୍ୟୋଗପତି ଓ ସିଆଇଆଇର ଚେୟାରମ୍ୟାନ ମନୀଷ ଖରବନ୍ଦା କହିଥିଲେ ଯେ, ଏହି ଏକ ମାସ ଧରି ଚାଲିଥିବା କାର୍ଯ୍ୟକ୍ରମରେ ଇକୋ ସିଷ୍ଟମକୁ ଶକ୍ତିଶାଳୀ କରାଯାଉଛି । ଅଧିକରୁ ଅଧିକ ନିବେଶକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ ଚାଲିଛି । ଛୋଟ ବଡ଼ ଉଦ୍ୟୋଗୀଙ୍କ ପ୍ରୋତ୍ସାହନ ଦିଆଯାଉଛି । ଏହାସହ କାର୍ଯ୍ୟକ୍ରମରେ ସହଭାଗୀତାରେ ଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।
