ଆଇସିୟୁକୁ ସ୍ଥାନାନ୍ତର ହେଲେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ
ବୁର୍ଲା: ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’ର ଗୀତିକାର ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ପୂର୍ବ ଭଳି ସ୍ଥିର ରହିଛି ଓ କୌଣସି ବିଶେଷ ସମସ୍ୟା ନାହିଁ। କିନ୍ତୁ ତାଙ୍କୁ ଅଧିକ ବିଶ୍ରାମ ଓ ଉତ୍କୃଷ୍ଟ ସେବା ପ୍ରଦାନ ପାଇଁ ଏହି ନିଷ୍ପତ୍ତି ନିଆ ଯାଇଥିବା ଭିମସାର୍ ଅଧୀକ୍ଷକ ପ୍ର. ଲାଲ୍ମୋହନ ନାୟକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ହୃଦ୍ଘାତ ଯୋଗୁ ଗତ ମଙ୍ଗଳବାର ରାତିରେ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୌନ୍ତିଆ ହୃଦ୍ରୋଗ ବିଭାଗ କ୍ୟାବିନ୍ରେ ରହି ଚିକିତ୍ସିତ ହେଉଥିଲେ। ତେବେ ଉକ୍ତ କ୍ୟାବିନ୍ରେ ତାଙ୍କୁ ସାକ୍ଷାତ କରିବାକୁ ଆଗନ୍ତୁକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଲା। ବିଭିନ୍ନ ନେତୃବୃନ୍ଦଙ୍କ ସହ ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ ଓ ତାଙ୍କୁ ଭଲ ପାଉଥିବା ଶୁଭେଚ୍ଛୁ ମାନେ ଡାକ୍ତରଖାନାରେ ଗୌନ୍ତିଆଙ୍କୁ ଦେଖିବାକୁ ଧାଡ଼ି ଲଗାଇଲେ। ଫଳରେ ଗୌନ୍ତିଆଙ୍କୁ ଉପଯୁକ୍ତ ବିଶ୍ରାମ ମିଳି ପାରିଲା ନାହିଁ। ତେଣୁ ତାଙ୍କ ସ୍ବାସ୍ଥ୍ୟରକ୍ଷା ଓ ନିର୍ବିଘ୍ନରେ ସେବା ଦେବା ପାଇଁ ଗୌନ୍ତିଆଙ୍କୁ ଆଇସିୟୁକୁ ନିଆ ଯାଇଥିବା ଜଣାପଡ଼ିଛି।
