ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଷ୍ଟାଟସ ରିପୋର୍ଟ ଦାଖଲ କଲେ ସରକାର, ଡିସେମ୍ବର ୨୩ରେ ଆଗାମୀ ଶୁଣାଣି
କଟକ : ମମିତା ମେହେର ହତ୍ୟାକାଣ୍ଡ ଘଟଣା । ହାଇକୋର୍ଟରେ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ଆବେଦନ ମାମଲା। ସରକାରଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ ଆଜି ଦାଖଲ କରାଯାଇଛି। ଅନ୍ୟ ଏକ ଇଣ୍ଟରଭେନିଙ୍ଗ ପିଟିସନ ମଧ୍ୟ ଦାଖଲ ହୋଇଛି । ଆସନ୍ତା ଡିସେମ୍ବର ୨୩ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ସୂଚନା ମିଳିଛି ।
ସୂଚନା ଯେ, ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଦନ୍ତ ଏବଂ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ରାଜ୍ୟ ସରକାର, ପୋଲିସ ଡିଜି, ବଲାଙ୍ଗୀର ଏସପି ଓ ସିନ୍ଦିକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଝରଣୀ ଗାଁର ମମିତା ମେହେର କଳାହାଣ୍ଡି ମହାଲିଙ୍ଗ ପବ୍ଲିକ ସ୍କୁଲରେ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲେ।
ଅକ୍ଟୋବର ୮ ତାରିଖରେ ସେ ଘରୁ ବସ ଯୋଗେ ସ୍କୁଲ ଅଭିମୁଖେ ବାହାରି ଥିଲେ। ଚାନ୍ଦତାରା ଛକରେ ବସରୁ ଓହ୍ଲାଇ ସ୍କୁଲର ସଭାପତି ଗୋବିନ୍ଦ ସାହୁଙ୍କ କାରରେ ଯାଇଥିଲେ। ଏହାପରେ ନିଖୋଜ ହୋଇଯାଇଥିଲେ ମମିତା। ଅକ୍ଟୋବର ୧୩ ରେ ସିନ୍ଧେକେଲା ଥାନାରେ ମମିତାଙ୍କ ପରିବାର ନିଖୋଜ ନେଇ ଅଭିଯୋଗ କରିଥିଲେ। ଅକ୍ଟୋବର ୧୪ ରେ ଗୋବିନ୍ଦ ସାହୁକୁ ପୋଲିସ ଅଟକ ରଖିଥିବା ବେଳେ ଅକ୍ଟୋବର ୧୭ ରାତିରେ ସେ ପୋଲିସ କବଜାରୁ ଫେରାର ହୋଇଯାଇଥିଲା। ଅକ୍ଟୋବର ୧୯ ରେ ମହାଲିଙ୍ଗ ଷ୍ଟାଡିୟମ ପରିସରରୁ ପୋଡା ଯାଇଥିବା ମୃତଦେହ ମାଟି ତଳୁ ଉଦ୍ଧାର ହୋଇଥିଲା। ଅକ୍ଟୋବର ୧୯ ରେ ନିକଟସ୍ଥ ଏକ ଗାଁର ଆଖୁ କିଆରୀ ଭିତରୁ ଗୋବିନ୍ଦ ସାହୁକୁ ଗିରଫ କରିଥିଲା ପୋଲିସ। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଗାଡି ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀକୁ ମଧ୍ୟ ଗିରଫ କରିଥିଲା ପୋଲିସ। ଏହି ଘଟଣାରେ ୧୦ ଜଣ ସାକ୍ଷୀଙ୍କର ସିଆରପିସିର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ସିଆରପିସିର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି।
