ସମ୍ଭାବ୍ୟ ବାତ୍ୟା ନେଇ ମହଙ୍ଗା ମାଡ଼ : ପରିବା ଦରରେ ଲାଗିଛି ନିଆଁ
ଭୁବନେଶ୍ୱର : ପରିବା ଦରରେ ଲାଗିଲା ନିଆଁ । ସମ୍ଭାବ୍ୟ ବାତ୍ୟା ନ ଆସୁଣୁ ବଜାରରେ ପନିପରିବା ମୂଲ୍ୟ ଆକାଶଛୁଆଁ । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦର ହଠାତ ଆକାଶ ଛୁଆଁ ହୋଇଯାଇଛି । ଟମାଟୋ କିଲୋ ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ବିନ୍ସ ୬୦, ପୋଟଳ ଦର ବି ୬୦ ଟଙ୍କା ରହିଛି । ଏନେଇ ଖାଉଟି ଅସନ୍ତୁଷ୍ଟ ହେଉଥିବାର ଦେଖିବାକୁ ମିଳିଛି । କରୋନା ପାରେ ଏବେ ଓମିକ୍ରନ ଲୋକଙ୍କୁ ଝଟକା ଦେଉଥିବା ବେଳେ ଏବେ ପରିବା ଦର ଆକାଶଛୁଆଁ ହେଲାଣି ।
ପରିବା ଉପରେ ହାତ ମାରିହେଉନି । ଯାହାକୁ ଛୁଇଁବ ୬୦ । ପୋଟଳ, ଝୁଡଙ୍ଗ, ବିନ୍ସ, ଭେଣ୍ଡି, ଟମାଟୋ, ଗାଜର, କାକୁଡି ୬୦ ତଳକୁ ଖସୁନି ଦେଖିବାକୁ ମିଳୁଛି । ବାଇଗଣ, କଲରା, ବନ୍ଧାକୋବି, ସିମ୍ବ ୬୦ ଉପରେ । ପାଂଚ ଶହ ଟଙ୍କାରେ ବି ଭର୍ତ୍ତି ହେଉନି ବ୍ୟାଗ୍ । ବ୍ୟବସାୟୀ ବି ଅଳ୍ପ ପରିବା ଆଣୁଛନ୍ତି । କିଲୋ ବଦଳରେ ଗ୍ରାହକଙ୍କୁ ଅଢେଇ ଶହର ଦର କହୁଛନ୍ତି । ବର୍ତ୍ତମାନ ବାତ୍ୟା ଭୟରେ ଏବେ ଉଭୟ ଗ୍ରାହକ ଓ ବେପାରୀ ହନ୍ତସନ୍ତ ହେଉଛନ୍ତି । ବାତ୍ୟା କାରଣରୁ ପରିବା ଦରରେ ଲାଗିଛି ନିଆଁ । ବର୍ଷା ପାଇଁ ଆମଦାନୀ କମିଛି, ତାର ସିଧାସଳଖ ପ୍ରଭାବ ପଡିଛି ପରିବା ମାର୍କେଟ ଉପରେ । ବେପାରୀଙ୍କ କହିବା କଥା, ନୂଆ ଫସଲ ବାହାରିଲେ କମିବ ରେଟ୍ । ତେବେ ଲୋକେ ବାତ୍ୟା ଭୟରେ ଆଗରୁ ପରିବା କିଣି ନେବା ପାଇଁ ମନସ୍ତ କରିଥିବା ବେଳେ ପରିବା ଦର ତାଙ୍କ ଅଣ୍ଟା ନୁଆଁଇ ସାରିଲାଣି ।
