ଓମିକ୍ରନ ଭ୍ୟାରିଆଣ୍ଟ : ସପ୍ତାହେ ଘୁଞ୍ଚିପାରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ
ନୂଆଦିଲ୍ଲୀ : ଗୋଟିଏ ସପ୍ତାହ ଘୁଞ୍ଚିପାରେ ଟିମ ଇଣ୍ଡିଆର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ । କୋଭିଡ-୧୯ର ନୂଆ ଓମିକ୍ରନ ଭାରିଆଣ୍ଟ ଭୟ ଯୋଗୁଁ ଏହି ନିଷ୍ପତ୍ତି ନେଇପାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ଗୁରୁବାର ଜଣେ ବିସିସିଆଇ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ (ସିଏସଏ) ନିରନ୍ତର ସଂପର୍କରେ ରହିଛନ୍ତି ଓ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଲୋଚନା କରୁଛନ୍ତି ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ‘ଓମିକ୍ରନ କୋଭିଡ ଭାରିଆଣ୍ଟ ଭୟ ଯୋଗୁଁ ସିରିଜ ଗୋଟିଏ ସପ୍ତାହ ଘୁଞ୍ଚାଇବାକୁ ଆଲୋଚନା ଜାରି ରହିଛି । ଭାରତ ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ଅପେକ୍ଷା ରହିଛି । ଉଭୟ ବୋର୍ଡ ନିରନ୍ତର ସଂପର୍କରେ ରହିଛନ୍ତି ଓ ସମସ୍ତ ବିଷୟ ଉପରେ ସକରାତ୍ମକ ଆଲୋଚନା ହେଉଛି । ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ପ୍ରାଥମିକତା ଆଧାରରେ ନିଷ୍ପତ୍ତି’, ହେବାନେଇ କହିଛନ୍ତି ବରିଷ୍ଠ ବିସିସିଆଇ ଅଧିକାରୀ ।
ଆସନ୍ତା ମାସରେ ଭାରତ ୩ଟିକିଆ ଟେଷ୍ଟ ସିରିଜ, ୩ଟି ଦିନିକିଆ ଓ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବା ନେଇ ସୂଚୀ ରହିଛି । ଏହି ଗସ୍ତ ଡିସେମ୍ବର ୧୭ରୁ ଆରମ୍ଭ ହେବାନେଇ ସୂଚୀ ରହିଛି । ପୂର୍ବରୁ, କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଥିଲେ ଯେ, ଭାରତୀୟ କ୍ରିକେଟ ଟିମକୁ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଥିବା ଦେଶ, ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ସହ ପରାମର୍ଶ କରିବା ଉଚିତ୍ । କ୍ରୀଡାମନ୍ତ୍ରୀ ଠାକୁର କହିଥିଲେ, କେବଳ ବିସିସିଆଇ ନୁହେଁ, ପ୍ରତ୍ୟେକ ବୋର୍ଡ କୋଭିଡ-୧୯ ଓମିକ୍ରନ ଭାରିଆଣ୍ଟ ଚିନ୍ତାବଢାଉଥିବା ଦେଶକୁ ଟିମ ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହ ପରାମର୍ଶ କରିବା ଉଚିତ୍ । ଯେଉଁ ଦେଶ ଗୁଡିକରେ ବିପଦ ରହିଛି, ସେଠାକୁ ଟିମ ପଠାଇବା ବୁଦ୍ଧିମାନର କାମ ହେବନାହିଁ । ବିସିସିଆଇ ପରାମର୍ଶ ଲୋଡିଲେ ସମସ୍ତ ବିଷୟ ଅବଗତ କରିବୁ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କୋଭିଡ-୧୯ ର ନୂଆ ଭାରିଆଣ୍ଟର ନାମ B.1.1.529 ବା ‘ଓମିକ୍ରନ’ ରଖିଛି । କୋରୋନାର ନୂଆ ଭାରିଆଣ୍ଟ ଆଲୋଚନା ନେଇ ଡବ୍ଲୁଏଚଓ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା । ଏଥିରେ ଚିହ୍ନଟ ହୋଇଥିବା ନୂଆ ଭାରିଆଣ୍ଟର ନାମକରଣ କରାଯାଇଥିଲା । ବର୍ତ୍ତମାନ ଇଣ୍ଡିଆ ‘ଏ’ ଟିମର ସଦସ୍ୟ ବ୍ଲୋଏମଫୋଣ୍ଟେନରେ ରହିଛନ୍ତି ଓ ଦକ୍ଷିଣ ଆଫ୍ରିକା ‘ଏ’ ଟିମ ବିପକ୍ଷରେ ସିରିଜ ଖେଳୁଛନ୍ତି ।
