ଆଉ ଜଣେ ଭାରତୀୟଙ୍କୁ ବଡ ଦାୟିତ୍ୱ : ଟ୍ୱିଟରର ନୂଆ ସିଇଓ ହେବେ ପରାଗ ଅଗ୍ରଓ୍ବାଲ
ନୂଆଦିଲ୍ଲୀ: ବିଶ୍ବର ବହୁଳ ବ୍ୟବହୃତ ତଥା ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେକ ଡର୍ଶୀ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି । ତେବେ ତାଙ୍କ ସ୍ଥାନରେ ଭାରତରେ ଜନ୍ମିତ ପରାଗ ଅଗ୍ରୱାଲ ଟ୍ୱିଟରର ନୂତନ ସିଇଓ ଭାବେ ଦାୟିତ୍ବ ନେବେ ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସୋସିଆଲ ମିଡିଆ କ୍ଷତ୍ରରେ ନିଜ ଅନ୍ୟ ପ୍ରତିଦ୍ବନ୍ଦୀଙ୍କ ଠାରୁ ଆଗରେ ରହିବା ଓ ନିଜର ବାର୍ଷିକ ଆୟକୁ ୨୦୨୩ ସୁଦ୍ଧା ଦୁଇ ଗୁଣା କରିବା ପାଇଁ ଟ୍ବିଟର ନୂଆ ରଣନୀତିରେ କିଛି କାର୍ଯ୍ୟକ୍ରମ ହାତକୁ ନେଇଛି । ଗତକାଲି (ନଭେମ୍ବର ୨୮)ରେ ଜେକ ଡର୍ଶୀଙ୍କର ଶେଷ ଟ୍ବିଟ ସାମ୍ନାକୁ ଆସିଥିଲା । ଏଥିରେ ସେ ଟ୍ବିଟରକୁ ଭଲପାଆନ୍ତି ବୋଲି ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ଆଜି( ସୋମବାର) ସୁଦ୍ଧା ଡର୍ଶୀଙ୍କର ଏହି ଟ୍ବିଟକୁ ପ୍ରାୟ ୫୪,୦୦୦ରୁ ଅଧିକ ଟ୍ବିଟର ବ୍ୟବହାରକାରୀ ଲାଇକ କରିଥିବା ଦେଖିବାକୁ ମିଳିଛି ।
ଭାରତରେ ଜନ୍ମିତ ପରାଗ ବର୍ତ୍ତମାନ ଆମେରିକାରେ ଟ୍ବିଟରର ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ଅଛନ୍ତି । ଆଇଆଇଟି ବମ୍ବେରୁ ଅଣ୍ଡର-ଗ୍ରାଜୁଏଟ ଶିକ୍ଷା ସମାପ୍ତ କରିଥିବାବେଳେ ପରବର୍ତ୍ତୀ ସମୟରେ ଆମେରିକାର ଷ୍ଟାନ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରୁ ଟେକ୍ନୋଲୋଜିରେ ଡକ୍ଟରେଟ ଉପାଧୀ ହାସଲ କରିଥିଲେ ପରାଗ । ୨୦୧୮ ମସିହାରୁ ପରାଗ ଟ୍ବିଟର ମୁଖ୍ୟ ବୈଷୟିକ ଅଧିକାରୀ ଭାବେ ଦାୟିତ୍ବରେ ରହିଆସିଛନ୍ତି । ତେବେ ଜେକ ଡର୍ଶୀ ଇସ୍ତଫା ପରେ ତାଙ୍କୁ ଏହି ମୁଖ୍ୟ ଦାୟିତ୍ବକୁ ପଦୋନ୍ନତି ମିଳିଛି ।
