ରେଳ ଧାରଣା କାଟିଦେଲେ ମାଓବାଦୀ, ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀ ପୁଣି ହିଂସାକାଣ୍ଡ। ଭାଁସି ଜଙ୍ଗଲରେ ରେଳ ଧାରଣାକୁ ଉଡ଼ାଇଲେ ମାଓବାଦୀ। ଲୁହାପଥର ବୋଝେଇ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଏବଂ ୨୦ଟି ବଗି କ୍ଷତିଗ୍ରସ୍ତ ହୋଇଥିବାର ଖବର ମିଳିଛି। ଜଙ୍ଗଲ ମଧ୍ୟରେ ମାଲବାହୀ ଟ୍ରେନ ଆଗରେ ଲାଗିଛି ମାଓବାଦୀଙ୍କ ବ୍ୟାନର। ଏହାର ପ୍ରଭାବରେ ବଚେଲିରୁ ବିଶାଖାପାଟଣା ମାଲବାହୀ ଟ୍ରେନ ଯିବାବେଳେ ମାଓବାଦୀ ଘଟାଇଛନ୍ତି ଏଭଳି କାଣ୍ଡ।
ମାଲକାନଗିରି-ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲାରେ ରେଳ ଲାଇନକୁ ମାଓବାଦୀମାନେ କାଟି ଦେଇଛନ୍ତି । ଫଳରେ ମାଲବାହୀ ଟ୍ରେନର ୩ଟି ଇଞ୍ଜିନ ଓ ୨୦ଟି ବଗି ଲାଇନଚ୍ୟୁତ ହୋଇଛି । ଭାନସି ଓ କିରାଣ୍ଡୁଲ ମଝିରେ ମାଓବାଦୀମାନେ ଶୁକ୍ରବାର ରାତିରେ ରେଳ ଧାରଣା କାଟିବା ପରେ ଶନିବାର ସକାଳେ ମାଲବାହୀ ଟ୍ରେନ୍ ଟି ଲାଇନଚ୍ୟୁତ ହୋଇଛି । ଘଟଣା ପରେ ବିଶାଖାପାଟଣାଠାରୁ କିରାଣ୍ଡୁଲ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି । ଏହି ରୁଟରେ ସମସ୍ତ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ମହାରାଷ୍ଟ୍ରରେ ୨୬ ଜଣ ମାଓବାଦୀଙ୍କୁ ଏନକାଉଣ୍ଟର ଘଟଣାକୁ ନେଇ ମାଓବାଦୀ ସଂଗଠନ ଏହି ସମୟରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ଭୈରମଗଡ଼ ମାଓ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି।
