ଡିସେମ୍ବର ୬ରେ ଭାରତ ଆସୁଛନ୍ତି ଭ୍ଲାଦିମିର ପୁଟିନ, ୨୧ତମ ଇଣ୍ଡୋ-ଋଷିଆ ସମ୍ମିଳନୀରେ ଯୋଗଦେବେ
ନୂଆଦିଲ୍ଲୀ : ଡିସେମ୍ବର ୬ ରେ ଭାରତ ଗସ୍ତରେ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଏନେଇ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଏହି ଅବସରରେ ୨୧ତମ ଇଣ୍ଡୋ-ଋଷିଆ ସମ୍ମିଳନୀରେ ଯୋଗଦେବେ।
ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସ୍ପଷ୍ଟ କରିଛନ୍ତି, ଯେ ଆସନ୍ତା ଡିସେମ୍ବର ୬ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏହା ସହ ୨୧ତମ ଇଣ୍ଡୋ-ଋଷିଆ ସମ୍ମିଳନୀରେ ମଧ୍ୟ ଯୋଗଦେବେ । ଉଭୟ ଦେଶର ଦ୍ବିପାକ୍ଷିକ ସମ୍ପର୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଫୋକସ୍ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ସହ ୭.୫ ଲକ୍ଷ ଏକେ ୨୦୩ ଆସଲ୍ଟ ରାଇଫଲ ଉତ୍ପାଦନ ପାଇଁ ଋଷ ସହିତ ୫,୦୦୦ କୋଟିରୁ ଅଧିକ ମୂଲ୍ୟର ଚୁକ୍ତି ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି ।
ତେବେ ବିଶେଷ କରି ଚଳିତ ବୈଠକରେ ଏସ୪୦୦ ଯୁଦ୍ଧ ମିଶାଇଲ ସିଷ୍ଟମକୁ ନେଇ ଉଭୟ ଦେଶ ମଧ୍ୟରେ ଶେଷ ସ୍ପର୍ଶ ଦିଆଯିବାର ସମ୍ଭାବନା ରହିଛି । ଏହା ସହ ବିଶ୍ବସ୍ତରୀୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବ । ଗ୍ଲୋବାଲ ୱାର୍ମିଂ, ଜି୨୦ ସମ୍ମିଳନୀ, ଆତଙ୍କବାଦୀ ସମସ୍ୟା ଉପରେ ଆଲୋଚନା କରିବେ ପିଏମ ମୋଦି ଓ ପୁଟିନ । ଭାରତ ଓ ଋଷ ଦୁଇ ଦେଶର ବନ୍ଧୁତା ଦୀର୍ଘ ଦଶନ୍ଧି ଧରି ରହିଛି । ପୁଟିନଙ୍କ ଗସ୍ତରେ ଭାରତ ଓ ଋଷ ମଧ୍ୟରେ ବାଣିଜ୍ୟ ଓ ବୈଷୟିକଜ୍ଞାନ କୌଶଳକୁ ନେଇ ଚୁକ୍ତି ସ୍ବାକ୍ଷରିତ କରାଯିବ ବୋଲି ଜଣାପଡିଛି । ସୂଚନାଥାଉକି ଗତବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ବୈଠକ ସ୍ଥଗିତ ରଖାଯାଇଥିଲା ।
