ପଦାର୍ପଣ ଟେଷ୍ଟ୍ରେ ଶତକ : ୧୬ଶ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ଶ୍ରେୟସ ଆୟର୍
ନୂଆଦିଲ୍ଲୀ : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲ କରିବାରେ ୧୬ଶ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ହେବାର ଗୌରବ ଅର୍ଜନ କରିଛନ୍ତି। ଶ୍ରେୟସ୍ଙ୍କ ପୂର୍ବରୁ ‘ଟେଷ୍ଟ୍ ଡେବ୍ୟୁ’ରେ ଶତକ ହାସଲ କରିଥିବା ଅନ୍ୟ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ମାନେ ହେଲେ, ଲାଲା ଅମରନାଥ, ଦୀପକ ଶୋଧନ, ଏଜି କୃପାଳ, ଆବ୍ବାସ୍ ଅଲି ବୈଗ୍, ହନୁମନ୍ତ ସିଂହ, ଗୁଣ୍ଡପ୍ପା ବିଶ୍ବନାଥ, ସୁରେନ୍ଦ୍ର ଅମରନାଥ, ମହମ୍ମଦ ଆଝାରୁଦ୍ଦିନ, ପ୍ରବୀଣ ଆମ୍ରେ, ସୌରଭ ଗାଙ୍ଗୁଲୀ, ବୀରେନ୍ଦ୍ର ସେହୱାଗ୍, ସୁରେଶ ରୈନା, ଶିଖର ଧାୱନ୍, ରୋହିତ ଶର୍ମା ଏବଂ ପୃଥ୍ବୀ ଶ।
ପ୍ରଥମ ଦିନରେ ଶ୍ରେୟସ ଶତକଠୁ ମାତ୍ର ୨୫ ରନ୍ ଦୂରରେ ଥିଲେ । ଶତକ ଲଗାଇବା ପରେ ସେ ପଦାର୍ପଣ ଟେଷ୍ଟରେ ସେଞ୍ଚୁରୀ ଲଗାଇଥିବା ଖେଳାଳିଙ୍କ ତାଲିକରେ ସାମିଲ ହୋଇଛନ୍ତି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୫୮ କରିଥିବା ବେଳେ ୪ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ଜାଡେଜା ଓ ଶ୍ରେୟସ ଅପରାଜିତ ରହିଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୩ ରନର ପାର୍ଟନରସିପ୍ ହୋଇଥିଲା । ଏବେସୁଦ୍ଧା ଭାରତ ୮ ଓ୍ୱିକେଟ ହରାଇ ୩୨୬ ରନ୍ କରିଛି । ଜାଡେଜା ୫୦ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ରିଦ୍ଧିମାନ ଶାହ ୧ ରନ୍ କରି ଆଉଟ ହୋଇଛନ୍ତି । ସେହିପରି ଅକ୍ଷର ପଟେଲ ୩ ରନ କରି ଆଉଟ ହୋଇଛନ୍ତି । କ୍ରିଜରେ ଏବେ ଆର ଅଶ୍ୱିନ ଓ ଉମେଶ ଯାଦବ ବ୍ୟାଟିଂ କରୁଛନ୍ତି । ସୂଚନା ଯେ, ଗତକାଲି କିଂବଦନ୍ତି ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ ସୁନୀଲ୍ ଗାଭାସ୍କର୍ଙ୍କ ଠାରୁ ‘ଟେଷ୍ଟ୍ କ୍ୟାପ୍’ ଗ୍ରହଣ କରିଥିବା ଶ୍ରେୟସ ହେଉଛନ୍ତି କାନପୁରରେ ‘ଡେବ୍ୟୁ’ କରି ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ ଖେଳାଳି। ତାଙ୍କ ପୂର୍ବରୁ ୧୯୬୯ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ବିଶ୍ବନାଥ ‘ଡେବୁ’ରେ ଶତକ ହାସଲ କରିଥିଲେ।
