ଆଜି ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଂଟନ ସହ ୭୭ ପ୍ରକଳ୍ପ ଉଦଘାଟନ ଓ ୧୦୯ ପ୍ରକଳ୍ପର ହେବ ଶିଳାନ୍ୟାସ
ବାଲେଶ୍ୱର : ଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ଼ ବଂଟନ ଶୁଭାରମ୍ଭ ପାଇଁ ବାଲେଶ୍ୱର ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ସଭାକାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି । ଶୁକ୍ରବାର ପୂର୍ବାହ୍ଣ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ହେଲିକେପ୍ଟର ଯୋଗେ ରିଜର୍ଭ ପୁଲିସ ପଡ଼ିଆରେ ଅବତରଣ କରିବେ । ୪୫ ମିନିଟର କାର୍ଯ୍ୟକ୍ରମ ପରେ ପୁଣି ଫେରିଯିବେ ବୋଲି ରିଜର୍ଭ ପୁଲିସ ପଡ଼ିଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଂଟନ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ୩୬୬ କୋଟି ବ୍ୟୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଜିଲାର ୭୭ ଗୋଟି ପ୍ରକଳ୍ପ ଉଦଘାଟନ ଓ ୧୧୮୬ କୋଟି ଟଙ୍କା ଅଟକଳ ମୂଲ୍ୟରେ ୧୦୯ ଗୋଟି ନୂତନ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିବେ ବୋଲି ଜିଲାପାଳ ଶ୍ରୀ ଚକ୍ରବର୍ତୀ କହିଛନ୍ତି । ଜିଲ୍ଲାରେ ମୋଟ ୫ଲକ୍ଷ ପରିବାରର ୧୯ଲକ୍ଷ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ମାଧ୍ୟମରେ ଉପକୃତ ହେବେ ବୋଲି ସେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଶେଷ ପରେ ପରେ ଜିଲ୍ଲାର ସମସ୍ତ ବ୍ଲକରେ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ ହେବ ସହ ଆସନ୍ତା ସାତ ଦିନ ମଧ୍ୟରେ ଏହାକୁ ଶେଷ କରାଯିବା ନେଇ ଲକ୍ଷ୍ୟ ରହିଥିବା ଶ୍ରୀ ଚକ୍ରବର୍ତ୍ତୀ କହିଥିଲେ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସେ ସୂଚନା ଦେଇଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି । ଏନେଇ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୧୩ଜଣ ଉପ-ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ନିରାପତା ବ୍ୟବସ୍ଥା ପରିଚାଳନା ପାଇଁ ୨୨ଜଣ ଆରକ୍ଷୀ ନିରୀକ୍ଷକ ଓ ୯୪ଜଣ ଉପ-ଆରକ୍ଷୀ ନିରୀକ୍ଷକ ଓ ସହକାରୀ ଉପ-ଆରକ୍ଷୀ ନିରୀକ୍ଷକ ନିଯୁକ୍ତ ହୋଇଛନ୍ତି । ଏହା ବ୍ୟତୀତ ୨୫ ପ୍ଲାଟୁନ ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଉତ୍ସବସ୍ଥଳକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକପ୍ରତିନିଧି, ନେତା, କର୍ମୀ, ସରକାରୀ ଅଧିକାରୀ ଓ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ହିତାଧିକାରୀ ଯିବା ବ୍ୟବସ୍ଥା କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ସଭାସ୍ଥଳ ପାଶ୍ୱର୍ସ୍ଥ ପୁଲିସ ଲାଇନ-ପଢ଼ୁଆଁପଦା ରାସ୍ତା ସମେତ ନାରୀ ସଂଘ-ସର୍କିଟ ହାଉସ ରାସ୍ତା, ମଗନକାର ଛକ-ସଦର ଆରଆଇ ଅଫିସ ଛକ ରାସ୍ତାକୁ କିଛି ସମୟ ପାଇଁ ସାଧାରଣ ଯାତାୟାତ ବନ୍ଦ କରାଯିବା ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମିଶ୍ର କହିଛନ୍ତି ।
