ଇଣ୍ଡୋନେସିଆ ଓପନ : ଜାପାନର ଆୟା ଓହରିଙ୍କୁ ହରାଇ ପ୍ରି-କ୍ବାର୍ଟରରେ ସିନ୍ଧୁ
ଜାକର୍ତ୍ତା : ଚଳିତ ଇଣ୍ଡୋନେସିଆ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । ବୁଧବାର ପ୍ରି-କ୍ବାର୍ଟରରେ ପ୍ରବେଶ କରିଛନ୍ତି ଦୁଇଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ ।
ଭାରତୀୟ ଷ୍ଟାର ସର୍ଟଲର ସିନ୍ଧୁ ଜାପାନର ଆୟା ଓହରିଙ୍କୁ ୧୭-୨୧, ୨୧-୧୭ ଓ ୨୧-୧୭ ସେଟ୍ରେ ହରାଇଛନ୍ତି । ଏହି ମ୍ୟାଚ୍ ୭୦ ମିନିଟ ଧରି ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ କଡା ସଂଘର୍ଷ ସତ୍ତ୍ବେ ପରାସ୍ତ ହୋଇଥିଲେ ସିନ୍ଧୁ । ମାତ୍ର ପରବର୍ତ୍ତୀ ଦୁଇଟି ସେଟ୍ରେ ଦମଦାର କମବ୍ୟାକ୍ କରିବା ସହ ବିଜୟୀ ହୋଇଥିଲେ । ପୂର୍ବରୁ ମିକ୍ସଡ ଡବଲ୍ସ ଯୋଡି ଧ୍ରୁବ କପିଳା ଓ ଏନ ସିକି ରେଡ୍ଡି ଜାପାନିଜ ଯୋଡିଙ୍କ ଠାରୁ ୨୧-୧୨ ଓ ୨୧୭ ସିଧାସେଟ୍ରେ ପରାସ୍ତ ହୋଇଥିଲେ ।
