କଡ଼ା ସୁରକ୍ଷାରେ ଜୁନିୟର ହକି ପୁରୁଷ ବିଶ୍ୱକପ : ପାକିସ୍ତାନ ଟିମ ଉପରେ ସ୍ବତନ୍ତ୍ର ନଜର
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୪ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ୱକପ । ଏଥିପାଇଁ କମିସନରେଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି । ଖେଳାଳିଙ୍କ ରହଣି ସ୍ଥାନ ଠୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ପୋଲିସ ଛାଉଣି । ଏନେଇ ସୁରକ୍ଷାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିସନରେଟ ପୋଲିସର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ।
ରାଜଧାନୀରେ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ବକପ ଆୟୋଜିତ କରାଯାଉଛି । ସୁରକ୍ଷା ବ୍ୟବସ୍ଥାରେ ଡିସିପିଙ୍କ ତତ୍ତ୍ବାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସିପି ,୨୬ ଜଣ ଇନସ୍ପେକ୍ଟର ,୭୨ ଜଣ ଅଫିସର ସହ ୩୦ ଜଣ ହାବିଲଦାର ପ୍ରାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥର ବିନା ଦର୍ଶକରେ ଖେଳାଯିବ । ସେ ନେଇ ଟ୍ରାଫିକ କଟକଣା ନ ଥିବାବେଳେ କେବଳ ଖେଳାଳିଙ୍କ ଗସ୍ତ ସମୟରେ ଟ୍ରାଫିକ ପୋଲିସ ଏସକର୍ଟ ଦେବ । ପଡିଆ ଭିତରେ ପ୍ରମୁଖ ଗେଟ ଠାରୁ ଖେଳାଳିଙ୍କ ଖେଳ ଗ୍ରାଉଣ୍ଡ ପର୍ଯ୍ୟନ୍ତ ପୋଲିସ ପ୍ରହରା ରହିବ। ସେପଟେ ଖେଳାଳି ରହୁଥିବା ହୋଟେଲ ପାଖରେ ପୋଲିସର କ୍ୟାମ୍ପ ସହ ହୋଟେଲ ନିକଟରେ ହକିର ଗାଇଡଲାଇନ ଅନୁସାରେ କଣ କରିବେ ଓ କଣ ନ କରିବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ଖେଳାଳି ଯଦି ଖେଳକୁ ଛାଡି ଅନ୍ୟ କୁଆଡେ ଯିବା ପାଇଁ ଚାହିଁବେ ହକି ଅଧିକାରୀଙ୍କ ଅନୁମତି କ୍ରମେ ସୁରକ୍ଷା ଓ ଏସକର୍ଟ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ଟିମକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ଏୟାରପୋର୍ଟ ଠାରୁ ଆରମ୍ଭ କରି ସେମାନଙ୍କ ରହଣି ସ୍ଥଳ ଓ ଷ୍ଟାଡିୟମ ପର୍ଯନ୍ତ କଡା ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ପୋଲିସ କମିସନର।
